ଅମୃତପାଲଙ୍କ ସନ୍ଧାନ ଜାରି, ୪ ଘନିଷ୍ଠ ସହଯୋଗୀଙ୍କୁ ପଞ୍ଜାବରୁ ଆସାମକୁ ସ୍ଥାନାନ୍ତର

1 min read

ଚଣ୍ଡିଗଡ: ଅମୃତପାଲ ସିଂ ବିରୋଧରେ ପଞ୍ଜାବ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ। ଫେରାର ଖଲିସ୍ତାନୀ ନେତା ଅମୃତପାଲଙ୍କୁ ଧରିବାପାଇଁ ପୋଲିସ ପକ୍ଷରୁ ଆଲର୍ଟ ଜାରି ହେବା ସହ ସାରାରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି । କିଛି ଦିନ ପୂର୍ବରୁ ପଞ୍ଜାବରେ ପୋଲିସର ସ୍ବତନ୍ତ୍ର ଟିମ୍ ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ ଅମୃତପାଲଙ୍କ ୭୮ ସହଯୋଗୀଙ୍କୁ ଗିରଫ କରାଯାଇଛି ।

ପୋଲିସ ସୁରକ୍ଷା ଦୃଷ୍ଟିରୁ ଅମୃତପାଲଙ୍କ ୪ ଘନିଷ୍ଠ ସହଯୋଗୀ ଅଭିଯୁକ୍ତଙ୍କୁ ଗିରଫ କରି ବାୟୁସେନାର ସ୍ୱତନ୍ତ୍ର ବିମାନ ଦ୍ୱାରା ଆସାମର ଦିବ୍ରୁଗଡକୁ ସ୍ଥାନନ୍ତର କରାଯାଇଛି । ଆଇଜି ଜେଲ ସମେତ ପଞ୍ଜାବ ପୋଲିସର ୨୭ ଜଣିଆ ଟିମ୍ ଅଭିଯୁକ୍ତଙ୍କୁ ଦିବ୍ରୁଗଡର ସେଣ୍ଟ୍ରାଲ ଜେଲକୁ ପଠାଇଛନ୍ତି । ଡିବ୍ରୁଗଡ ଡିସି, ଏସପିଙ୍କ କଡାସୁରକ୍ଷା ଭିତରେ ମୋହନବାଡି ବିମାନବନ୍ଦରରୁ ଅଭିଯୁକ୍ତଙ୍କୁ ଅଣାଯାଇଛି ।

ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂ ପୋଲିସ ହେପାଜତରୁ ଖସିଯିବା ପରେ ତାକୁ ପଳାତକ ଘୋଷଣା କରାଯାଇଛି । ଏନେଇ ପଞ୍ଜାବରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଏହାବ୍ୟତୀତ ପଞ୍ଜାବର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇଛି । ସେପଟେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ୨୦ ମାର୍ଚ୍ଚ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ପଞ୍ଜାବରେ ମୋବାଇଲ ଇଣ୍ଟରନେଟ ଏବଂ ଏସଏମଏସ୍  ସେବା ବନ୍ଦ ରଖାଯାଇଛି  । ଅନେକ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି ।

କିଛି ଦିନ ପୂର୍ବରୁ ପୋଲିସର ସର୍ଚ୍ଚ ଅପରେସନ ସମୟରେ ଅମୃତପାଲ ସିଂ ଯେଉଁ ଗାଡିରେ ପଳାଇଥିଲେ ସେହି ଗାଡିକୁ ପୋଲିସ ଉଦ୍ଧାର କରିଛି। ପୋଲିସ ଯାଞ୍ଚ ବେଳେ ପଏଣ୍ଟ-୩୧୫ ବୋର ରାଇଫଲ, ମାରଣାସ୍ତ୍ର, ୱାକି-ଟକ୍ୱି ଗାଡିରୁ ଜବତ କରିଛି । ଏହା ବ୍ୟତୀତ ଏକ ନକଲି ନମ୍ବର ପ୍ଲେଟ ମଧ୍ୟ ଜବତ ହୋଇଛି। ଏନେଇ ଅଧିକ ତଦନ୍ତ ଜାରି ରଖିଛି ପଞ୍ଜାବ ପୋଲିସ ।