ଘରୋଇ ସହାୟିକାଙ୍କୁ ଦରମା ଦେଉ ନାହାନ୍ତି ନୱାଜଉଦ୍ଦୀନ, ଦୁବାଇରୁ ଆସିଲା ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ତାରକା ନୱାଜୁଦ୍ଦୀନ ସିଦ୍ଦିକୀଙ୍କ ସମସ୍ୟା କମ୍ ହେବାର ନାଁ ନେଉ ନାହିଁ । ପତ୍ନୀ ଆଲିୟା ସିଦ୍ଦିକୀଙ୍କ ସହ ତାଙ୍କର ବିବାଦ ଏବେ ତାଜା ରହିଛି । ନ୍ୟାୟିକ ଲଢେଇ ଜାରି ରହିଛି । ଏହାରି ମଧ୍ୟରେ ତାଙ୍କ ଉପରେ ଆଉ ଏକ ସଙ୍ଗୀନ ଅଭିଯୋଗ ଲାଗିଛି । ସପନା ରବିନ ମସିହ ନାମକ ଜଣେ ଯୁବତୀ କାନ୍ଦି କାନ୍ଦି ଭିଡିଓ ସେୟାର କରିଛନ୍ତି । ସପନା କହିଛନ୍ତି ଯେ ସେ ନୱାଜଙ୍କ ଦୁବାଇ ସ୍ଥିତ ଘରେ ଏକାକୀ ବିନା ଖାଇ ପିଇ ରହୁଛନ୍ତି । ନୱାଜ ତାଙ୍କୁ ଏକାକୀ ଛାଡ଼ି ଦେଇଛନ୍ତି । ସପନା ନୱାଜଙ୍କ ଉପରେ ଦରମା ଦେଇନଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି । ସୂଚନାଥାଉକି, ସପନା ନୱାଜଙ୍କ ପିଲାଙ୍କ ଦେଖାଶୁଣା କରିବା ପାଇଁ ଦୁବାଇ ଯାଇଥିଲେ ଏବଂ ସେଠାରେ ହାଉସ୍ ହେଲ୍ପ ଭାବରେ କାମ କରୁଥିଲେ ।

ଆଲିୟାଙ୍କ ଓକିଲ ରିଜୱାନ ସିଦ୍ଦିକୀ ସାମାଜିକ ଗଣମାଧ୍ୟମରେ ସପନାଙ୍କ ଭିଡିଓ ସେୟାର କରିଛନ୍ତି । ଭିଡିଓ ସହ ଏକ ନୋଟ୍ ମଧ୍ୟ ରହିଛି ଯେଉଁଥିରେ ଲେଖାଅଛି ଯେ ସପନାଙ୍କୁ ଭୁଲ ହାୟରିଙ୍ଗ କରି ଦୁବାଇ ପଠାଯାଇଥିଲା । ସରକାରୀ ରେକର୍ଡରେ ଲେଖାଯାଇଛି ଯେ, ସପନା ଏକ ସେଲ୍ସ ମ୍ୟାନେଜର ଭାବରେ ଦୁବାଇ ଯାଇଥିଲେ । କିନ୍ତୁ ଦୁବାଇରେ ସେ ନୱାଜଙ୍କ ଘରେ ହାଉସହେଲ୍ପର କାମ କରୁଛନ୍ତି । ନୱାଜଉଦ୍ଦୀନ ନିଜ ପିଲାଙ୍କ ଦେଖାଶୁଣା ପାଇଁ ଏକ କମ୍ପାନୀ ଜରିଆରେ ସପନାଙ୍କୁ ହାୟରିଙ୍ଗ କରିଥିଲେ, କିନ୍ତୁ ହାୟରିଙ୍ଗ ପରଠୁ ତାଙ୍କୁ ଦରମା ମିଳିନାହିଁ । ଆଲିୟା ପିଲାଙ୍କ ସହ ଭାରତ ଆସିବା ପରେ ସପନା ଦୁବାଇ ସ୍ଥିତ ଘରେ ଏକାକୀ ରହିଯାଇଥିଲେ ।

ସପନାଙ୍କ କହିବା ଅନୁସାରେ, ଘରେ ଖାଇବା ପିଇବା ପାଇଁ କିଛି ବି ସାମଗ୍ରୀ ନାହିଁ ଏବଂ ନୱାଜ ଘରର ବିଦ୍ୟୁତ ବିଲ୍ ମଧ୍ୟ ଦେଇନାହାନ୍ତି । ଏପରି ହେଲେ ଦୁଇ ତିନି ଦିନରେ ତାଙ୍କୁ ଏହି ଘର ଖାଲି କରିବାକୁ ପଡ଼ିପାରେ । ସପନା କାନ୍ଦି କାନ୍ଦି ଗୁହାରି କରିଛନ୍ତି ଯେ, ତାଙ୍କୁ କିପରି ଭାବେ ଭାରତ ଆଣିବା ପାଇଁ ବ୍ୟବସ୍ଥା କରାଯାଉ ଏବଂ ଏଥିସହ ଦରମା ମଧ୍ୟ ଦିଆଯାଉ । ସପନାଙ୍କ କହିବା ଅନୁଯାୟୀ, ଆଲିୟାଙ୍କୁ ମଧ୍ୟ ଭାରତ ଆସିବାରେ ଅନେକ ସମସ୍ୟା ଆସିଥିଲା । ସେ ବହୁତ ସମସ୍ୟାର ସମ୍ମୁଖୀନ ହୋଇ ଭାରତ ଆସିଥିଲେ ।

ଆଲିୟା ସିଦ୍ଦିକୀଙ୍କ ଓକିଲ ରିଜୱାନ ଭିଡିଓକୁ ସେୟାର କରି ସରକାରଙ୍କୁ ଅପିଲ କରିଛନ୍ତି ଯେ ସେ ଏହି ଯୁବତୀଙ୍କୁ ସହାୟତା କରନ୍ତୁ । ସୂଚନାଥାଉକି, ନୱାଜଉଦ୍ଦୀନ ସିଦ୍ଦିକୀ ଏବଂ ତାଙ୍କ ସ୍ତ୍ରୀ ଆଲିୟା ସିଦ୍ଦିକୀଙ୍କ ମଧ୍ୟରେ ବିବାଦ ଏବେ କୋର୍ଟରେ ପହଞ୍ଚିଛି । ଆଲିୟାଙ୍କ କହିବା ଅନୁଯାୟୀ, ନୱାଜ ଏବଂ ତାଙ୍କ ସମ୍ପୂର୍ଣ୍ଣ ପରିବାର ତାଙ୍କୁ ନିର୍ଯ୍ୟାତନା ଦେଇଛନ୍ତି । ସେହିପରି ନୱାଜଉଦ୍ଦୀନ କହିଛନ୍ତି ଯେ, ଆଲିୟା ଓ ସେ ଦୀର୍ଘଦିନ ହେବ ଅଲଗା ହୋଇଯାଇଛନ୍ତି କିନ୍ତୁ ଏବେ ସମ୍ପତ୍ତି ଏବଂ ବଙ୍ଗଳା ଉପରେ ବେଆଇନ ଭାବରେ ଅଧିକାର ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି ।