ଅଗ୍ନିପଥ ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ତିନି ସେନା ମୁଖ୍ୟ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ପ୍ରସଙ୍ଗ । ଆଜି ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ତିନି ବାହିନୀର ମୁଖ୍ୟ । ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ସହ ହେବ ଗୁରୁତ୍ବପୂର୍ଣ୍ଣ ଆଲୋଚନା. ସେପଟେ ସ୍ଥଳ ସେନାରେ ଅଗ୍ନିବୀରଙ୍କୁ ସାମିଲ ନେଇ ଆସିଛି ବିସ୍ତୃତ ବିବରଣୀ । ଆସନ୍ତା ଜୁଲାଇରୁ ଆରମ୍ଭ ହେବ ସ୍ଥଳସେନାରେ ନିଯୁକ୍ତି ପ୍ରକ୍ରିୟା । ଯବାନଙ୍କୁ ୩୦ଦିନର ଛୁଟି ମିଳିବା ସହ ମିଳିବ ନୂଆ ବ୍ୟାଜ୍ । ପ୍ରଥମ ବର୍ଷ ତିନି ସେନା ଲାଗି ୪୫ ହଜାର ଯବାନଙ୍କୁ ନିଯୁକ୍ତି ମିଳିବ ।

କେବଳ ମେଡିକାଲ ବ୍ରାଞ୍ଚର ବୈଷୟିକ କ୍ୟାଡର ବ୍ୟତୀତ ଏହି ପ୍ରକ୍ରିୟା ଆରମ୍ଭ ହେବ । ୧୭ବର୍ଷ ୫ ମାସ ବୟସରୁ ୨୧ ବର୍ଷ ଯୁବକଯୁବତୀମାନେ ଏଥିଲାଗି ଆବେଦନ କରିପାରିବେ । ଆର୍ମି ଆକ୍ଟ ୧୯୫୦ ଅନୁସାରେ ୪ ବର୍ଷ ଲାଗି ନିଯୁକ୍ତି ପାଇବେ ଅଗ୍ନିବୀର । ସେମାନଙ୍କୁ ଜଳ, ସ୍ଥଳ, ଆକାଶ ବା ଅନ୍ୟ ଯେ କୌଣସି ସ୍ଥାନରେ ମୁତୟନ କରାଯାଇପାରିବ । ଚାରି ବର୍ଷ ପରେ ଅଗ୍ନିବୀରଙ୍କୁ ମିଳିବ ସେବାନିଧି ପ୍ୟାକେଜ । ସେମାନଙ୍କୁ ପ୍ରଥମବର୍ଷ ୩୦ ହଜାର, ଦ୍ବିତୀୟ ବର୍ଷ ୩୩ ହଜାର, ତୃତୀୟ ବର୍ଷ ୩୬ ହଜାର ୫୦୦ ଓ ଚତୁର୍ଥ ବର୍ଷ ୪୦ ହଜାର ଲେଖାଁଏ ଟଙ୍କା ମାସିକ ଦରମା ମିଳିବ । ଦରମାରୁ କଟିବ ୩୦ ପ୍ରତିଶତ । ଚାକିରି କାଳ ଶେଷ ପରେ ମିଳିବ ପୂରା ପ୍ୟାକେଜ୍ ।