ଚେତାବନୀ ଦେଲା ଆମେରିକା, ଯେକୌଣସି ମୁହୂର୍ତ୍ତରେ ସିରିଜ ବୋମା ଓ କ୍ଷେପଣାସ୍ତ୍ର ମାଡ଼ କରିବ ଋଷ

ନୂଆଦିଲ୍ଲୀ: ୪୮ ଘଣ୍ଟା ଭିତରେ ୟୁକ୍ରେନ ଛାଡିବା ଲାଗି ଆମେରିକୀୟଙ୍କୁ ନିର୍ଦ୍ଦେଶ । ଖୁବ୍ ଶୀଘ୍ର ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବାକୁ ଯାଉଛି ବୋଲି ଆଲର୍ଟ ଜାରି କରିଛନ୍ତି ଆମେରିକା ହ୍ବାଇଟ୍ ହାଉସ ଜାତୀୟ ନିରାପତ୍ତା ପରାମର୍ଶଦାତା ଜେକ୍ ସୁଲିଭାନ । ଯେକୌଣସି ମୁହୂର୍ତ୍ତରେ ଋଷ ସିରିଜ ବୋମାମାଡ ଓ କ୍ଷେପଣାସ୍ତ୍ର ମାଡ଼ କରିବ ବୋଲି ସେ ଚେତାବନୀ ଦେଇଛନ୍ତି । ଚୀନରେ ଓ୍ବିଣ୍ଟର ଅଲିମ୍ପିକ୍ସ ଚାଲିଥିବା ଯୋଗୁ ଆକ୍ରମଣ କରିବାର ସମ୍ଭାବନା ନାହିଁ ବୋଲି ଯାହା କୁହାଯାଉଛି, ତାହାକୁ ଅଗ୍ରାହ୍ୟ କରିଛନ୍ତି ସୁଲିଭାନ । ଫେବ୍ରୁଆରୀ ୨୦ରେ ଅଲିମ୍ପିକ୍ସ ସରୁଥିଲେ ବି ତା ପୂର୍ବରୁ ଏହି ଆକ୍ରମଣ ଘଟିବ ବୋଲି ସେ ସୂଚନା ଦେଇଛନ୍ତି । ଏପରିକି ଏହି ଆକ୍ରମଣ ସମ୍ପୂର୍ଣ୍ଣ ଭିନ୍ନ ଧରଣର ଓ ଅତି ଭୟଙ୍କର ହେବ ଏବଂ ରାଜଧାନୀ କିଏଭ ପ୍ରଥମ ଟାର୍ଗେଟ ହେବ ବୋଲି ସେ ସତର୍କ କରାଇଛନ୍ତି । ଆକ୍ରମଣରେ ଅନେକ ଲୋକ ମୃତାହତ ହେବାର ଆଶଙ୍କା ଥିବାରୁ ଦେଶ ଛାଡିବା ଲାଗି ଡେଡଲାଇନ ଦେଇଛି ଆମେରିକା ।

ସେହିପରି ଯୁଦ୍ଧରୁ ଦୂରେଇ ରହିବା ଲାଗି ଆଜି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଶେଷ ଅନୁରୋଧ କରିପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକା ସାମରିକ ଜେନେରାଲ ମାର୍କ ମିଲେ ମଧ୍ୟ ଯୁଦ୍ଧ ଟାଳିବା ଲାଗି ଋଷ ଜେନେରାଲ ଭାଲେରି ଜେର୍ସିମଭଙ୍କ ସହ ଆଲୋଚନା କରିଛନ୍ତି । ମାତ୍ର ସେପରି କୌଣସି ଅଗ୍ରଗତି ପରିଲକ୍ଷିତ ହୋଇନାହିଁ । ସେପଟେ ୟୁକ୍ରେନରୁ ଅନେକ ଦେଶର ଦୂତାବାସ କର୍ମଚାରୀ ପଳାୟନ କରିବା ଆରମ୍ଭ କରିଛନ୍ତି । ତୈଳ ଦର ଯଥେଷ୍ଟ ବଢିଥିବାବେଳେ ଷ୍ଟକ ମାର୍କେଟ ମଧ୍ୟ ଭୁଶୁଡିବାରେ ଲାଗିଛି । ଆମେରିକୀୟ ଇକ୍ୟୁଟିର ବ୍ୟାପକ ଅବମୂଲ୍ୟାୟନ ହୋଇଛି । ସମ୍ଭାବ୍ୟ ଯୁଦ୍ଧର ମୁକାବିଲା ଲାଗି ୟୁରୋପର ବିଭିନ୍ନ ରାଷ୍ଟ୍ରରେ ୮୦ ହଜାରରୁ ଅଧିକ ମାର୍କିନ ସୈନ୍ୟଙ୍କୁ ମୁତୟନ କରାଯାଇଛି ।

ତେଣେ ୧୯୮୬ରେ ଭୟଙ୍କର ଆଣବିକ ବିପର୍ଯ୍ୟୟର କାରଣ ସାଜିଥିବା ଚେର୍ଣ୍ଣୋବିଲ୍ ଆଣବିକ କାରଖାନାର ପରିତ୍ୟକ୍ତ କୋଠା ଗୁଡିକରେ ସମରାଭ୍ୟାସ ଜାରି ରଖିଛି ୟୁକ୍ରେନ । ସେଠାରେ ହଜାର ହଜାର ୟୁକ୍ରେନ ସୈନ୍ୟ ବିଭିନ୍ନ ରଣକୌଶଳ ପ୍ରଦର୍ଶନ କରିବା ଦେଖାଯାଇଛି । ସବୁଠାରୁ ଅଧିକ ସମସ୍ୟାରେ ପଡିଛନ୍ତି ଛାତ୍ରଛାତ୍ରୀ । ୟୁକ୍ରେନରେ ବିଶ୍ବର ୧୫୮ ରାଷ୍ଟ୍ରର ପ୍ରାୟ ୮୦ ହଜାର ଛାତ୍ରଛାତ୍ରୀ ମେଡିକାଲ, ଇଞ୍ଜିନୟରିଂ ସମେତ ଅନ୍ୟ ବିଷୟରେ ପଢୁଛନ୍ତି । କେବଳ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦ ହଜାର । ସେମାନଙ୍କ ଭବିଷ୍ୟତ ନେଇ ଏବେ ଗଭୀର ଚିନ୍ତାରେ ପରିବାର । କୋଭିଡ ଯୋଗୁ ପାଠପଢା ପ୍ରଭାବିତ ହୋଇଥିବା ବେଳେ ଏବେ ସମ୍ଭାବ୍ୟ ଯୁଦ୍ଧ ସେମାନଙ୍କ ଭବିଷ୍ୟତକୁ ଛାରଖାର କରିବାର ଆଶଙ୍କା ସୃଷ୍ଟି ହୋଇଛି ।

Leave a Reply