୧୦୦ ଘଣ୍ଟାରୁ ଅଧିକ ସମୟ ଚାଲିଛି ଜୀବନ ଯୁଦ୍ଧ, ଦିଲ୍ଲୀରୁ ଆସିଲା ଆମେରିକୀୟ ମେସିନ

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସକ୍ୟୁ ଅପରେସନ  । ଆଜି ପଞ୍ଚମ ଦିନରେ ପହଞ୍ଚିଛି ଉଦ୍ଧାର କାର୍ଯ୍ୟ  । ୧୦୦ ଘଣ୍ଟାରୁ ଅଧିକ ସମୟ ଧରି ଶ୍ରମିକ ମାନେ ଉତ୍ତରକାଶୀର ସୁଡଙ୍ଗରେ ଫସିଛନ୍ତି  । ଗତ ରବିବାର ଦିନ ସିଲ୍କଆରା ସୁଡଙ୍ଗ ପରିଯୋଜନାରେ କାମ ଚାଲିଥିବା ବେଳେ ଏହା ଧସିଯିବାରୁ ୪୦ ଶ୍ରମିକ ଫସି ରହିଛନ୍ତି  ।

ସେପଟେ ଆମେରିକୀୟ ଅଗର ମେସିନ କାମ ଆରମ୍ଭ କରିବା ପରେ ସୁଡଙ୍ଗରେ ଫସିଥିବା ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଆଶା ବଢିଯାଇଛି  । ଉଦ୍ଧାର କାର୍ଯ୍ୟରେ ଏହି ମେସିନର ସାହାଯ୍ୟ ନିଆଯିବ  । ଏହି ମେସିନରେ ଉଦ୍ଧାରକାରୀ ଦଳଙ୍କୁ ଡ୍ରିଲିଂ କରିବା ପାଇଁ ସହଜ ହେବ  । ମେସିନରେ ସୁଡଙ୍ଗ ଖୋଳି ୯୦୦ ଏମଏମର ପାଇପକୁ ଗୋଟିଏ ପଟୁ ଅନ୍ୟ ପଟକୁ ପହଞ୍ଚାଇବା ପାଇଁ ଯୋଜନା କରାଯାଉଛି  ।

ସୁଡଙ୍ଗ ଭିତରକୁ ଯାଇଥିବା ଏହି ବିଶେଷ ଉପକରଣ ସଫେଇ ପ୍ରକ୍ରିୟାକୁ ଜୋରଦାର କରିବା ସହ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟକୁ ତ୍ବରାନିତ କରିପାରିବ  । ଆମେରିକାନ ଅଗର ମେସିନ ଚାରି ଧାମ ତୀର୍ଥଯାତ୍ରା ମାର୍ଗରେ ଧ୍ବସ୍ତ ସୁଡଙ୍ଗରୁ ୩୦ କିଲୋମିଟରରୁ ଅଧିକ ଦୂରରେ ଥିବା ଚିନ୍ୟାଲିସୋଡ ବିମାନ ବନ୍ଦରରୁ ଅଲଗା ଅଲଗା ଭାଗରେ ପହଞ୍ଚିଛି  । ଏହି ଯୋଜନାରେ ଧ୍ବସ୍ତ ସୁଡଙ୍ଗ ଧ୍ବଂସାବଶେଷ ମଧ୍ୟରେ ଏକ ରାସ୍ତା ଖୋଳିବା ପାଇଁ ମେସିନର ବ୍ୟବହାର କରାଯିବ  ।