ଆମେରିକୀୟ ନାଗରିକଙ୍କୁ ଚେତାବନୀ ଦେଲେ ବାଇଡେନ, କହିଲେ ’ଶୀଘ୍ର ୟୁକ୍ରେନ ଛାଡ’

ନୂଆଦିଲ୍ଲୀ: ୟୁରୋପରେ ଯୁଦ୍ଧର କଳାବାଦଲ । ଶାନ୍ତି ପ୍ରତିଷ୍ଠା ଲାଗି ସମସ୍ତ ଆଲୋଚନା ବିଫଳ ହେବା ପରେ ଆସନ୍ନ ଯୁଦ୍ଧସ୍ଥିତିରେ ୟୁକ୍ରେନ ସଙ୍କଟ । ୟୁକ୍ରେନରୁ ତୁରନ୍ତ ଆମେରିକୀୟମାନେ ବ୍ୟାବସାୟିକ ବା ଘରୋଇ ବିମାନରେ ସ୍ବଦେଶ ଫେରି ଆସିବାକୁ ଆମେରିକା ନିର୍ଦ୍ଦେଶ ଦେଇଛି । ୟୁକ୍ରେନରେ ଥିବା ଆମେରିକୀୟ ନାଗରିକଙ୍କୁ ତୁରନ୍ତ ୟୁକ୍ରେନ ଛାଡିବାକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ତେଣେ ୟୁକ୍ରେନର ସମସ୍ତ ସାମୁଦ୍ରିକ ପଥକୁ ଅବରୋଧ କରିଛି ଋଷ । ଏହାସହ ଆସନ୍ତା ସପ୍ତାହରେ ନୌସେନାର ସମରାଭ୍ୟାସ ଲାଗି ଋଷର ଯୋଜନା ଯୁଦ୍ଧର ଆଶଙ୍କାକୁ ଅଧିକ ଘନୀଭୂତ କରିଛି ।

ୟୁକ୍ରେନର ଆଜୋଭ ସମୁଦ୍ରକୁ ଋଷ ସମ୍ପୂର୍ଣ୍ଣ କବଜା କରିଥିବାବେଳେ କୃଷ୍ଣସାଗରର ମୁଖ୍ୟ ସାମୁଦ୍ରିକ ପଥକୁ ଅବରୋଧ କରିଛି । ୟୁକ୍ରେନର ଅଧିକାଂଶ ବନ୍ଦର ଏବେ ଅଚଳ ହେବା ଆଶଙ୍କା ଦେଖାଦେଇଛି । ପିଭଦେନି, କୋର୍ନୋମସ୍କ, ଖେର୍ସନ, ମରିପଲ ଓ ବେର୍ଦିନସ୍କ ବନ୍ଦରରୁ ୟୁକ୍ରେନ ପର୍ଯ୍ୟାପ୍ତ ସୂର୍ଯ୍ୟମୁଖୀ ତେଲ, ଇସ୍ପାତ, ଶସ୍ୟ ଆଦି ରପ୍ତାନି କରୁଥିବା ବେଳେ ଯୁଦ୍ଧ ସଙ୍କଟରେ ଏହା ଗୁରୁତର ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି । ଅନ୍ୟପକ୍ଷରେ ବିବାଦୀୟ କ୍ରିମିଆ ଅଞ୍ଚଳରେ ଋଷ ମୁତୟନ କରିଛି ୬ଟି ଯୁଦ୍ଧଜାହାଜ । ୨୦୧୪ରେ ୟୁକ୍ରେନଠାରୁ କ୍ରିମିଆକୁ ଛଡାଇ ନେଇ ଋଷ ଏଠାରେ ନିଜର ଅଧିକାର ସାବ୍ୟସ୍ତ କରିଆସୁଛି । ଏହା କୌଶଳଗତ ଭାବେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ । କ୍ଷେପଣାସ୍ତ୍ର ପ୍ରୟୋଗ ସମରାଭ୍ୟାସ ଓ ଫାୟାରିଂ ଡ୍ରିଲ ହେବାକୁ ଯାଉଥିବାରୁ ସମସ୍ତ ଉପକୂଳ ଅଞ୍ଚଳରେ ଆଲର୍ଟ ଜାରି କରିଛି ଋଷ ।

ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ଅଭିଯୋଗ କରିଛନ୍ତି ଯେ, ଋଷର ସମୁଦ୍ର ଅବରୋଧ ଯୋଗୁ ତାଙ୍କ ଦେଶ ଗଭୀର ସମସ୍ୟାରେ ଉପନୀତ ହୋଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଜର୍ମାନୀ ଚାନସେଲର ଓ ଫ୍ରାନ୍ସ ରାଷ୍ଟ୍ରପତି ଯୁଦ୍ଧ ଟାଳିବା ଲାଗି ଶେଷ ପ୍ରୟାସ କରିଥିଲେ ବି ସମାଧାନର ବାଟ ବାହାରି ପାରିନାହିଁ । ସେପଟେ ବେଲାଋଷ ସହ ଋଷ ନିଜର ସମରାଭ୍ୟାସ ଅଧିକ ସକ୍ରିୟ କରିଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି, ୟୁରୋପରେ ବର୍ତ୍ତମାନ ସବୁଠାରୁ ନିରାପତ୍ତା ସଙ୍କଟ ଦେଖାଦେଇଛି । ଜଳପଥର ଅନ୍ତର୍ଜାତୀୟ ସୀମାରେଖାକୁ ଋଷ କବଜା କରିଥିବା ବେଳେ ଅନ୍ୟାନ୍ୟ ୟୁରୋପୀୟ ରାଷ୍ଟ୍ର ଚିନ୍ତା ବ୍ୟକ୍ତ କରିଛନ୍ତି ।

Leave a Reply