ଆମେରିକୀୟ ଶିଶୁ ନେବେ ଫାଇଜର ଟିକା

ଓ୍ବାସିଂଟନ: ଆମେରିକାର ଶିଶୁଙ୍କୁ ଦିଆଯିବ ଫାଇଜର ଟିକା । ୫ରୁ ୧୧ ବର୍ଷ ଶିଶୁଙ୍କୁ ଫାଇଜର ଟିକା ଦେବାକୁ ଆମେରିକା ଦେଲା ଅନୁମତି । ଶୀଘ୍ର ଆରମ୍ଭ ହେବ ଦେଶର ୨୮ ନିୟୁତ ଶିଶୁଙ୍କୁ ଟିକାକରଣ ।ଶିଶୁଙ୍କୁ ଟିକା ଲାଗି ବସିଥିବା ଏକ ଉଚ୍ଚସ୍ତରୀୟ ମେଡିକାଲ କମିଟି ଫାଇଜରକୁ ଅନୁମତି ଦେଇଥିଲା । ଏହି ଟିକାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ବି ହେଉନାହିଁ ବୋଲି କମିଟି ଦର୍ଶାଇଛି ।

ପୂର୍ବରୁ ଚୀନ, ଚିଲି, କ୍ୟୁବା ଓ ୟୁଏଇ ନିଜ ନିଜ ଦେଶର ଶିଶୁମାନଙ୍କୁ ବିଭିନ୍ନ ଟିକା ଦେବା ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ ବା ଏଫଡିଏ ମୁଖ୍ୟ ଜାନେତ ଉଡକକ କହିଛନ୍ତି ପିଲାଙ୍କ ଟିକାକରଣ ଲାଗି ଦେଶର ପିତାମାତା, କେୟାରଟେକର, ସ୍କୁଲ କର୍ମଚାରୀ ଯେଉଁ ଦୀର୍ଘ ଆଶା ରଖିଥିଲେ ତାହାର ଅବସାନ ଘଟିଛି । ଶିଶୁଙ୍କୁ ଟିକା ଦେବା ନେଇ ପୂର୍ବରୁ ଆମେରିକାର ରୋଗ ଓ ନିରାକରଣ କେନ୍ଦ୍ର ମଧ୍ୟ ସବୁଜ ସଙ୍କେତ ଦେଇଥିଲା ।

ଶିଶୁଙ୍କ ସୁରକ୍ଷା ଲାଗି ଆଉ ୫ କୋଟି ଡୋଜ ଆମେରିକା ସରକାର କିଣିଥିବା ଫାଇଜରର ପାର୍ଟନର ବାୟୋଏନଟେକ ପ୍ରକାଶ କରିଛି । ୨ ହଜାର ପିଲାଙ୍କ ନିକଟରେ ଫାଇଜରର କ୍ଲିନିକାଲ ଟ୍ରାଏଲ କରାଯାଇଥିଲା । ଏଥିରେ ୯୦ ପ୍ରତିଶତ ସଫଳତା ପରିଲକ୍ଷିତ ହୋଇଥିଲା । ଏହାଛଡା ଟିକାର ନିରାପତ୍ତା ନେଇ ୩ ହଜାରରୁ ଅଧିକ ପିଲାଙ୍କ ନିକଟରେ ପରୀକ୍ଷା କରାଯାଇଥିଲା । ଏହି ଟିକାକୁ ତିନି ସପ୍ତାହ ବ୍ୟବଧାନରେ ଦିଆଯିବ । ଶିଶୁଙ୍କୁ ଟିକାକରଣ ପରେ ଦେଶରେ ସ୍କୁଲ ପରିଚାଳନାରେ ସ୍ବାଭାବିକତା ଫେରିବା ଆଶା କରାଯାଉଛି । ଏବେ ବି ଦେଶରେ ଡେଲଟା ଭାରିଆଣ୍ଟର ରାଜ୍ ଜାରି ରହିଛି ଏବଂ ପିଲାମାନେ ବି ସଂକ୍ରମିତ ହେଉଛନ୍ତି ।

Leave a Reply