ପ୍ରବାସୀଙ୍କ ବିରୋଧରେ ଅଧିକ ଉଗ୍ର ହେଲା ଆମେରିକାର ଟ୍ରମ୍ପ ପ୍ରଶାସନ

ନନ୍ଦିଘୋଷ ବ୍ୟୁରୋ: ପ୍ରବାସୀଙ୍କ ବିରୋଧରେ ଅଧିକ ଉଗ୍ର ହେଲା ଆମେରିକା ଟ୍ରମ୍ପ ପ୍ରଶାସନ । ଆଉ ୫ ଲକ୍ଷ ୩୦ ହଜାର କ୍ୟୁବା, ହାଇତି, ନିକାରାଗୁଆ ଓ ଭେନିଜୁଏଲା ନାଗରିକଙ୍କୁ ଫେରାଇ ଦେବା ଲାଗି ଆମେରିକା ନେଇଛି ନିଷ୍ପତ୍ତି । ଖୁବ୍ ଶୀଘ୍ର ସେମାନଙ୍କର ଆଇନଗତ ସୁରକ୍ଷା ହଟାଇଦିଆଯିବ ବୋଲି ସୂଚନା ମିଳିଛି । ଏହି ଚାରି ରାଷ୍ଟ୍ରର ଯେଉଁ ପ୍ରବାସୀମାନେ  ଅକ୍ଟୋବର ୨୦୨୨ରୁ ଆମେରିକାରେ ରହୁଥିଲେ ଏବଂ ଦୁଇ ବର୍ଷ ଲାଗି ପରମିଟ ପାଇଥିଲେ ସେମାନଙ୍କଠାରୁ ଆଇନଗତ ସୁରକ୍ଷା ହଟାଇଦିଆଯିବ ବୋଲି କୁହାଯାଇଛି । ଆସନ୍ତା ଏପ୍ରିଲ ୩୦ କିମ୍ବା ନୋଟିସ ଜାରି ହେବାର ୩୦ ଦିନ ପରେ ସେମାନେ ଆମେରିକାରେ ଆଉ ରହିବାର ଯୋଗ୍ୟତା ହାସଲ କରିବେ ନାହିଁ ।

ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମୟରେ ପ୍ରଦାନ କରାଯାଇଥିବା ପାରୋଲ ନୀତିକୁ ଟ୍ରମ୍ପ ପ୍ରଶାସନ ରଦ୍ଦ କରିବା ପରେଲକ୍ଷ ଲକ୍ଷ ପ୍ରବାସୀ ଆମେରିକା ଛାଡିବା ନିଶ୍ଚିତ ହୋଇଛି । ସେପଟେ ଆମେରିକାରେ ରହୁଥିବା ଭାରତୀୟ ଛାତ୍ରମାନେ ଆମେରିକୀୟ ନିୟମ ଅନୁସାରେ ରହିବା ଲାଗି ପରାମର୍ଶ ଦେଇଛି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । ପୂର୍ବରୁ ହମାସ ଲିଙ୍କ୍ ଅଭିଯୋଗରେ ରଞ୍ଜନୀ ଶ୍ରୀନିବାସନ ନାମ୍ନୀ ଜଣେ ଛାତ୍ରୀଙ୍କୁ ପଠାଇଦିଆଯାଇଥିବାବେଳେ ବାଦର ଖାଁ ସୁରୀ ନାମକ ଅନ୍ୟ ଜଣେ ଛାତ୍ରଙ୍କ ଉପରେ ସମଧରଣର ବିପଦ ରହିଛି । ଯଦିଓ ଭାରତ ଫେରିବା ଉପରେ କୋର୍ଟ ସ୍ଥଗିତାଦେଶ ଦେଇଛନ୍ତି ତଥାପି ତାଙ୍କ ଉପରୁ ବିପଦ ଟଳି ନାହିଁ । ଆମେରିକାରେ ବହୁ ସଂଖ୍ୟକ ଭାରତୀୟ ଛାତ୍ର ପଢୁଥିବାରୁ ଆଇନକାନୁନ ପ୍ରତି ସଜାଗ ହେବା ଲାଗି ପରାମର୍ଶ ଦିଆଯାଇଛି ।