ଆମେରିକା ବାଚସ୍ପତିଙ୍କ ସମ୍ଭାବ୍ୟ ତାଇଓ୍ୱାନଗସ୍ତ ନେଇ ଚୀନ କ୍ଷୁବ୍ଧ

ନୂଆଦିଲ୍ଲୀ: ଆମେରିକା ବାଚସ୍ପତି ନାନସି ପେଲୋସିଙ୍କ ଏସିଆ ଗସ୍ତକୁ ନେଇ ବିବାଦ । ତାଇଓ୍ବାନରେ ସ୍ଥିତି ଜଟିଳ । ସମ୍ଭାବ୍ୟ ଯୁଦ୍ଧ ଲାଗି ପ୍ରସ୍ତୁତ ତାଇଓ୍ବାନ । ସାରା ତାଇଓ୍ବାନରେ ବାଜିଛି ସାଇରନ । ଲୋକମାନେ ବିଭିନ୍ନ ଆଶ୍ରୟସ୍ଥଳୀକୁ ଚାଲିଯାଇଥିବା ସୂଚନା ମିଳିଛି । ଆରମ୍ଭ ହୋଇଛି ସାମରିକ ଡ୍ରିଲ । ସେନାକୁ ସତର୍କ ରଖାଯାଇଥିବାବେଳେ ସମସ୍ତ ସାମରିକ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଗସ୍ତର ପ୍ରଥମ ଦିନରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସେନ୍ ଲୁଙ୍ଗଙ୍କୁ ଭେଟିଛନ୍ତି ପେଲୋସି । ଲୁଙ୍ଗଙ୍କ ସହ ପେଲୋସି ତାଇଓ୍ବାନ ଓ ଚୀନ ପ୍ରସଙ୍ଗରେ ଆଲୋଚନା କରିଥିବା ସୂଚନା ମିଳିଛି ।

ତାଇଓ୍ବାନ ପ୍ରସଂଗରେ ହସ୍ତକ୍ଷେପ ନ କରିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଗତ ୩୦ ତାରିଖରେ ଚୀନ ପ୍ରତିପକ୍ଷ ସି ଜିନପିଙ୍ଗଙ୍କ ଚେତାବନୀ ଦେଇଥିବା ବେଳେ ପେଲୋସି ତାଇଓ୍ବାନ ଗସ୍ତ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଆଜି ସନ୍ଧ୍ୟାରେ ପେଲୋସି ତାଇଓ୍ବାନକୁ ଗସ୍ତ କରିପାରନ୍ତି ବୋଲି ସୂଚନା ମିଳିଛି ।

ଯଦି ପେଲୋସି ତାଇଓ୍ବାନ ଯାଆନ୍ତି ତେବେ ବିଗତ ୨୫ ବର୍ଷ ମଧ୍ୟରେ ଆମେରିକାର ଜଣେ ତୁଙ୍ଗ ପ୍ରତିନିଧି ତାଇଓ୍ବାନ ଗସ୍ତରେ ଯିବାରେ ପ୍ରଥମ ବ୍ୟକ୍ତି ହେବେ । ସିଙ୍ଗାପୁର ପରେ ପେଲୋସି ମାଲେସିଆ ଯିବେ ଏବଂ ସେଠାରୁ ସେ ତାଇଓ୍ବାନ ରାଜଧାନୀ ତାଇପେଇକୁ ଯିବେ ବୋଲି ତାଇଓ୍ବାନର ୩ଟି ପ୍ରମୁଖ ଗଣମାଧ୍ୟମ ସୂତ୍ରରୁ କୁହାଯାଇଛି । ପେଲୋସିଙ୍କ ଏହି ସମ୍ଭାବ୍ୟ ଗସ୍ତକୁ ନେଇ ବେଜିଂ ଉତ୍‌କ୍ଷିପ୍ତ ହେବା ଆଶଙ୍କା ରହିଛି । ଆମେରିକା ଓ ଚୀନ ମଧ୍ୟରେ ବିବାଦ ପରିପ୍ରେକ୍ଷୀରେ ତାଇଓ୍ବାନ ସମୁଦ୍ରରେ ସମରାଭ୍ୟାସ କରିଛି । ଆସନ୍ତା ଗୁରୁବାର ପେଲୋସି ସାଉଥ କୋରିଆ ବି ଯିବାର କାର୍ଯ୍ୟକ୍ରମ ରହିଛି । ଚୀନ ବୈଦେଶିକ ମନ୍ତ୍ରୀ ଝାଓ ଲିଜିଆନ କହିଛନ୍ତି ଯଦି ପେଲୋସି ତାଇଓ୍ବାନ ଯାଆନ୍ତି ତେବେ ଏହାର ଫଳ ଭୋଗିବାକୁ ପଡ଼ିବ । ଶେଷ ଥର ଲାଗି ୧୯୯୭ରେ ଆମେରିକା ବାଚସ୍ପତି ନ୍ୟୁଟ ଗିଙ୍ଗରିଚ ତାଇଓ୍ବାନ ଗସ୍ତ କରିବା ପରେ ଆମେରିକା ଓ ଚୀନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା ।

ଏଥିସହିତ ପଢ଼ନ୍ତୁ: ଜୀବନ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଟିଆରଙ୍କ ଝିଅ