ଆମେରିକା ନ୍ୟୁୟର୍କରେ ବଡ଼ ଅଘଟଣ: ବ୍ରିଜକୁ ଧକ୍କା ଦେଲା ମେକ୍ସିକୋ ନୌସେନାର ଜାହାଜ

ନନ୍ଦିଘୋଷ ବ୍ୟୁରୋ: ଆମେରିକା ନ୍ୟୁୟର୍କରେ ଅଘଟଣ। ବ୍ରୁକଲିନ ବ୍ରିଜକୁ ଧକ୍କା ଦେଲା ମେକ୍ସିକୋର ନୌସେନା ତାଲିମ ଜାହାଜ। ଜାହାଜର ହାଇମାଷ୍ଟ ଟାୱାର ବ୍ରିଜକୁ ଧକ୍କା ଦେଇଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଜାହାଜରେ ୨୭୭ ଜଣ ସଦସ୍ୟ ଥିଲେ।ଗତ ରାତିରେ ଘଟିଥିଲା ଏ ଦୁର୍ଘଟଣା।

ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବ୍ରିଜ୍ ଡେକ୍‌ର ଉଚ୍ଚତା ୧୨୭ ଫୁଟ ଥିବାବେଳେ ଜାହାଜ ଟାୱାରର ଉଚ୍ଚତା ୧୫୮ ଫୁଟ ରହିଥିଲା। ଜାହାଜ ଏବଂ ବ୍ରିଜ୍ ଡେକ୍‌ର ଉଚ୍ଚତାରେ ପ୍ରାୟ ୩୧ ଫୁଟର  ପାର୍ଥକ୍ୟ ଥିଲା। ଏହା ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଜାହାଜଟି ନ୍ୟୁୟର୍କରୁ ଆଇସଲ୍ୟାଣ୍ଡ ଅଭିମୁଖେ ଯାଉଥିଲା। ପ୍ରତିବର୍ଷ ନୌସେନା ସ୍କୁଲର କୋର୍ସ ସମାପ୍ତ ପରେ କ୍ୟାଡେଟମାନଙ୍କୁ ତାଲିମ ପାଇଁ ଯାଇଥାଏ। ଚଳିତ ବର୍ଷ ଏପ୍ରିଲ ୬ ତାରିଖରେ ଏହା ମେକ୍ସିକୋରୁ ବନ୍ଦରରୁ ୨୭୭ ଜଣଙ୍କୁ ନେଇ ଯାତ୍ରା କରିଥିଲା।

ଜାହାଜଟି ଜାମାଇକାର କିଙ୍ଗଷ୍ଟନ, କ୍ୟୁବାର ହାଭାନା, ମେକ୍ସିକୋର କୋଜୁମେଲ, ନ୍ୟୁୟର୍କ, ଆଇସଲ୍ୟାଣ୍ଡ ସମେତ ୧୫ଟି ଦେଶର ୨୨ଟି ବନ୍ଦରରେ ଅଟକିବାର ଯୋଜନା ଥିଲା। ମୋଟ ୨୫୪ ଦିନର ଯାତ୍ରାରେ ୧୭୦ ଦିନ ସମୁଦ୍ରରେ ବିତାଇବାକୁ ଯୋଜନା କରାଯାଇଥିଲା।ସେପଟେ ନ୍ୟୁୟର୍କର ବ୍ରୁକଲିନ ୧୪୨ ବର୍ଷ ପୁରୁଣା।ଦୁର୍ଘଟଣା କାରଣରୁ ବ୍ରୁକଲିନ୍ ବ୍ରିଜର ସେତେ ଅଧିକ କ୍ଷତି ହୋଇନାହିଁ। ଦୁର୍ଘଟଣାର କାରଣ ତଦନ୍ତାଧୀନ ଅଛି। ୧୮୮୩ ମସିହାରେ ନିର୍ମିତ  ଏହି ବ୍ରିଜ ପ୍ରାୟ ୧୬୦୦ ଫୁଟ ଲମ୍ବା ଏବଂ ଦୁଇଟି ପଥର ଟାୱାର ଉପରେ ଅବସ୍ଥିତ। ପ୍ରତିଦିନ ୧ ଲକ୍ଷରୁ ଅଧିକ ଯାନବାହନ ଏବଂ ପ୍ରାୟ ୩୨,୦୦୦ ପଦଯାତ୍ରୀ ଏହି ବ୍ରିଜ ଦେଇ ଯାତାୟାତ କରନ୍ତି।