ୟୁକ୍ରେନକୁ ଶକ୍ତିଶାଳୀ ଟ୍ୟାଙ୍କ ଯୋଗାଇବ ଆମେରିକା ; ଘୋଷଣା କଲେ ଜୋ ବାଇଡେନ
1 min readକିଭ୍ : ୟୁକ୍ରେନକୁ ଏଣିକି ଟକ୍କର ଦେବା ଋଷ ପକ୍ଷେ ହେବ କଷ୍ଟକର । ଖୁବ୍ ଶୀଘ୍ର ଆମେରିକାଠାରୁ ୟୁକ୍ରେନ ପାଇବ ୩୧ଟି ଶକ୍ତିଶାଳୀ M1 ଆବ୍ରାହମସ୍ ଟ୍ୟାଙ୍କ । ଏନେଇ ଘୋଷଣା କରିଛି ଆମେରିକା । ସେପଟେ ଲିଓପାର୍ଡ ଟ୍ୟାଙ୍କ ଯୋଗାଇବାକୁ ବି ଜର୍ମାନୀ ଘୋଷଣା କରିଛି । ଯୁଦ୍ଧ ପ୍ରସଙ୍ଗରେ ଅନୁଷ୍ଠିତ ପ୍ରମୁଖ ୟୁରୋପୀୟ ରାଷ୍ଟ୍ରଙ୍କ ବୈଠକରେ ୟୁକ୍ରେନକୁ ଟ୍ୟାଙ୍କ ଯୋଗାଣ ନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହି ଟ୍ୟାଙ୍କ ଯୋଗାଣ ପୂର୍ବରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ ।
୧୯୮୦ ଦଶକରେ ପ୍ରଥମ ଥର ଲାଗି ଏହି ଧରଣର ଟ୍ୟାଙ୍କର ବ୍ୟବହାର କରିଥିଲା ଆମେରିକା । ୧୨୦ ମିଲିମିଟିର ମେନ୍ ଗନ ଓ ୫୦କାଲିବର କ୍ଷମତା ବିଶିଷ୍ଟ ଟ୍ୟାଙ୍କର ୧୫୦୦ ହର୍ଷ ପାଓ୍ବାର ଟର୍ବାଇନ ଇଞ୍ଜିନ ରହିଛି । ତେବେ ୟୁକ୍ରେନରେ ଆବ୍ରାହମସ ଟ୍ୟାଙ୍କ ବ୍ୟବହାରର ଯଥାର୍ଥତାକୁ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି ଆମେରିକୀୟ ପ୍ରତିରକ୍ଷା କର୍ମକର୍ତ୍ତା । ଇନ୍ଧନର ପର୍ଯ୍ୟାପ୍ତ ଆବଶ୍ୟକତା ଓ ତାଲିମ ପ୍ରଦାନ କଷ୍ଟକର ହୋଇଥିବାରୁ ସେମାନେ ଟ୍ୟାଙ୍କ ଯୋଗାଣକୁ ନେଇ ପ୍ରଶ୍ନ କରିଛନ୍ତି ।
ସେପଟେ ୟୁକ୍ରେନର ବାରମ୍ବାର ଅନୁରୋଧ ଓ ସହଯୋଗୀ ରାଷ୍ଟ୍ରର ଚାପ ଯୋଗୁ ୧୪ଟି ଲିଓପାର୍ଡ 2 A6 ଟ୍ୟାଙ୍କ ଯୋଗାଇବାକୁ ଜର୍ମାନୀ ଘୋଷଣା କରିଛି । ଏହି ଟ୍ୟାଙ୍କ ପରିଚାଳନା ଲାଗି ଜର୍ମାନୀରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବ ବୋଲି କହିଛନ୍ତି ଚାନସେଲର ଓଲାଫ ସ୍କଜ । ସେପଟେ ଫିନଲ୍ୟାଣ୍ଡ ଓ ପୋଲାଣ୍ଡ ମଧ୍ଯ ୟୁକ୍ରେନକୁ ଅସ୍ତ୍ର ଦେବାକୁ ଘୋଷଣା କରିଛନ୍ତି । ତେଣେ ଏହି ଟ୍ୟାଙ୍କ ଯୋଗାଣ ଘୋଷଣାକୁ ବିରୋଧ କରିଛନ୍ତି କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ ।