ଭାରତକୁ ଫେରିଲା ୨୪୮ଟି ପ୍ରାଚୀନ କୀର୍ତ୍ତି

ନୂଆଦିଲ୍ଲୀ: ଭାରତକୁ ଫେରିଛି ୨୪୮ଟି ପ୍ରାଚୀନ କୀର୍ତ୍ତି। ପ୍ରାୟ ୧୫ ନିୟୁତ ଡଲାରର ଦୁର୍ମୂଲ୍ୟ ପ୍ରାଚୀନ କୀର୍ତ୍ତିକୁ ଫେରସ୍ତ କରିଛି ଆମେରିକା । ଏହି କୀର୍ତ୍ତି ମଧ୍ୟରେ ରହିଛି ଦ୍ବାଦଶ ଶତାବ୍ଦୀର ଏକ ବ୍ରୋଞ୍ଜନିର୍ମିତ ଶିବ ନଟରାଜଙ୍କ ମୂର୍ତ୍ତି । ଗତ ଦଶନ୍ଧି ଧରି ଆମେରିକାରେ ବଡ ଧରଣର ସର୍ଚ୍ଚ ଅପରେସନ, ଯ଼ାଞ୍ଚ, ଚଢାଉ କରି ଏହି ମୂର୍ତ୍ତି ଓ କୀର୍ତ୍ତିଗୁଡିକୁ ଠାବ କରାଯାଇଥିଲା ।

ଏଥିଲାଗି ଆୟୋଜିତ ଏକ ଉତ୍ସବରେ ଭାରତର କନସଲ ଜେନରାଲ ରଣଧୀର ଜୈସଓ୍ବାଲଙ୍କୁ ଏହି ସବୁ କୀର୍ତ୍ତି ହସ୍ତାନ୍ତର କରାଯାଇଥିଲା । ଆମେରିକାର ହୋମଲ୍ୟାଣ୍ଡ ସିକ୍ୟୁରିଟି ଇନଭେଷ୍ଟିଗେସନ୍ସ ଉପମୁଖ୍ୟ ଏରିକ ରୋସେନବ୍ଲାଟି ଏହି ସାମଗ୍ରୀ ହସ୍ତାନ୍ତର କରିଥିଲେ । ଏହି ଫେରସ୍ତ ପ୍ରକ୍ରିୟା ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ମଜଭୁତ କରିବ ବୋଲି କହିଛନ୍ତି ଜୈସଓ୍ବାଲ ।

ଜେଲରେ ଥିବା ଆର୍ଟ ଡିଲର ସୁଭାଷ କପୁରକୁ ଜେରା କରିବା ସହ ଅନ୍ୟ କେତେକ ସ୍ଥାନରେ ରେଡ ପରେ ଏହି ସବୁ ସାମଗ୍ରୀ ବିଭିନ୍ନ ସମୟରେ ଜବତ ହୋଇଥିଲା । ଆମେରିକାରେ ଏକ ବଡ ରାକେଟ ଭାରତ, ଆଫଗାନିସ୍ତାନ, ମ୍ୟାନମାର, ନେପାଳ, ପାକିସ୍ତାନ, ଶ୍ରୀ ଲଙ୍କା, ଥାଇଲାଣ୍ଡ, କାମ୍ବୋଡିଆ, ଇଣ୍ଡୋନେସିଆ ଆଦି ରାଷ୍ଟ୍ରରୁ ଦୁର୍ମୂଲ୍ୟ ସାମଗ୍ରୀ ଲୁଟ୍ ବା ଚୋରି କରି ବିକ୍ରି କରୁଥିଲେ । ସୁଭାଷ ର ନେଟଓ୍ବର୍କରେ ପ୍ରାୟ ୨୫୦୦ କୀର୍ତ୍ତିରାଜିର ଚୋରାଚାଲାଣ ହୋଇଥିଲା । ଜବତ ସମସ୍ତ ସାମଗ୍ରୀର ମୂଲ୍ୟ ୧୪୩ ନିୟୁତ ଡଲାର ହେବ।

Leave a Reply