ବଢ଼ିଲା ଟ୍ରମ୍ପଙ୍କ ଅଡ଼ୁଆ, ଲୋକଙ୍କ ଭୟରେ ବଙ୍କରରେ ଲୁଚିଲେ…!

ନ୍ୟୁୟର୍କ: ବଢ଼ିଲା ଟ୍ରମ୍ପଙ୍କ ଅଡ଼ୁଆ । ଟ୍ରମ୍ପଙ୍କ ବିରୋଧରେ ହ୍ୱାଇଟ୍‌ ହାଉସ୍‌ ଆଗରେ ଧାରଣା ଦେଲେ ହଜାର ହଜାର ଲୋକ । ଆମେରିକାରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି । ଲୋକମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ ଜାରି ରଖିଛନ୍ତି । ହ୍ଵାଇଟ୍‌ହାଉସ୍‌ ଆଗରେ ହଜାର ହଜାର ସଂଖ୍ୟାରେ ଲୋକମାନେ ଏକଜୁଟ୍‌ ହୋଇ ଟ୍ରମ୍ପଙ୍କ ବିରୋଧରେ ନାରା ଦେଉଛନ୍ତି । ଲୋକଙ୍କ ସଂଖ୍ୟା ଏତେ ଯେ, ଶେଷରେ ସୁରକ୍ଷା କର୍ମୀଙ୍କୁ ଲୁହ ବୁହା ଗ୍ୟାସ ବ୍ୟବହାର କରିବାକୁ ପଡ଼ିଛି ।

ଆଉ ଏହା ପରେ‌ ଲୋକମାନେ ଅଧିକ ଉତ୍ତେଜିତ ହୋଇଛନ୍ତି । ଟ୍ରମ୍ପଙ୍କ ବିରୋଧୀ ପ୍ଲାକାର୍ଡ ଧରି ସ୍ୱର ଉତ୍ତୋଳନ କରିବା ସହ ଟ୍ରମ୍ପଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ଲୋକଙ୍କ ଏଭଳି ଉଗ୍ର ରୂପ ଦେଖି କିଛି ସମୟ ପାଇଁ ସୁରକ୍ଷା କର୍ମୀମାନେ ଟ୍ରମ୍ପଙ୍କୁ ବଙ୍କର ଭିତରକୁ ନେଇ ଯାଇଥିଲେ । ସାଧାରଣତଃ ଆତଙ୍କବାଦୀ ଆକ୍ରମଣ ବେଳେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଏହି ବଙ୍କର ବ୍ୟବହାର କରାଯାଏ । ଗତ ୬ଦିନ ହେଲା ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁକୁ ନେଇ ଆମେରିକାରେ ଉତ୍ତେଜନା ଜାରି ରହିଛି । ଲୋକଙ୍କୁ ଆୟତ କରିବା ପାଇଁ ଓ୍ୱାସିଂଟନ୍‌ ସହ ବିଭିନ୍ନ ସହରରେ ନ୍ୟାସନାଲ୍‌ ଗାର୍ଡ ମୁତୟନ ହୋଇଛନ୍ତି ।

ଅନ୍ୟପଟେ ନିର୍ବାଚନ ବର୍ଷରେ ଏଭଳି ବିରୋଧ ପ୍ରଦର୍ଶନକୁ ସହଜରେ ହଜମ କରିପାରୁନାହାନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଏଥିପାଇଁ ନ୍ୟାସ୍‌ଗାର୍ଡ ମାନଙ୍କୁ ଯେକୌଣସି ସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ଗତ ୨୬ ମେ’ରେ ଜର୍ଜ ଫ୍ଲୋଏଡଙ୍କୁ ଏକ ମାମଲାରେ ପୋଲିସ ଗିରଫ କରିଥିଲା । ରାସ୍ତା ମଝିରେ ତାଙ୍କୁ ହାତକଡି ପିନ୍ଧାଇ ପୋଲିସ କର୍ମୀ ଜଣକ ନିଜ ଆଣ୍ଠୁ ମଝିରେ ଜର୍ଜଙ୍କ ବେକକୁ ଚାପି ରଖିଥିଲେ । ପାଖାପାଖି ୧୦ ମିନିଟ୍‌ ଧରି ପୋଲିସ କର୍ମୀ ଜଣକ ତାଙ୍କୁ ସେହିଭଳି ଧରି ରଖିଥିଲେ । କିଛି ସମୟ ପରେ ରାସ୍ତା ମୃଝିରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସଙ୍ଗେ ସଙ୍ଗେ ସେଠାରେ ଅନେକ ଲୋକ ରୁଣ୍ଡ ହୋଇ ପୋଲିସର କାର୍ଯ୍ୟକଳାପକୁ ବିରୋଧ କରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Leave a Reply