ଇରାନର ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ଆମେରିକାରେ ହାଇଆଲର୍ଟ

1 min read

ନନ୍ଦିଘୋଷ ବ୍ୟୁରୋ : ଇରାନର ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ଆମେରିକାରେ ହାଇଆଲର୍ଟ । ଆମେରିକା କିମ୍ବା ଇସ୍ରାଏଲର ବିଭିନ୍ନ ସ୍ଥାନରେ ଇରାନର ଆକ୍ରମଣ ଯୋଜନା ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ଆମେରିକା ସଜାଗ । ସିରିଆର ଡାମାସ୍କସସ୍ଥିତ ଇରାନୀୟ ଦୂତାବାସ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ ଜବାବରେ ଇରାନ ଏହି ଆକ୍ରମଣ ଯୋଜନା ପ୍ରସ୍ତୁତ କରିଛି । ଏହି ଆକ୍ରମଣରେ ଇରାନ କୁଦସ ଫୋର୍ସର ଜଣେ ତୁଙ୍ଗ କମାଣ୍ଡର ଜେନେରାଲ ମହମ୍ମଦ ରେଜା ଜାହିଦିଙ୍କ ସମେତ ୭ଜଣଙ୍କ ମୃତ୍ୟୁ ଘଟିଥିଲା । ୨୦୨୦ରେ ଆମେରିକାର ଡ୍ରୋନ ହମଲାରେ କୁଦସ ଫୋର୍ସ କମାଣ୍ଡର ମେଜର ଜେନେରାଲ କାସିମ ସୋଲେମାନିଙ୍କ ମୃତ୍ୟୁ ପରେ ଏହା ହେଉଛି ଦ୍ବିତୀୟ ହାଇପ୍ରୋଫାଇଲ ମୃତ୍ୟୁ । ସେପଟେ ଇସ୍ରାଏଲ ଭିତରେ ସାମରିକ ଓ ଗୁଇନ୍ଦା ସଂସ୍ଥା ଉପରେ ଇସ୍ରାଏଲର ଟାର୍ଗେଟକୁ ସମାଲୋଚନା କରିଛି ବାଇଡେନ ପ୍ରଶାସନ । ଇରାନର ସମ୍ଭାବ୍ୟ ଆକ୍ରମଣର ମୁକାବିଲା ଲାଗି ଆମେରିକା ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ଇରାନ ନିକଟରେ ରହିଥିବା ଦୂରଗାମୀ କ୍ରୁଜ ମିସାଇଲ ଜରିଆରେ ଡ୍ରୋନ କିମ୍ବା ସ୍ଥଳ ହମଲା କରାଯିବା ଆଶଙ୍କା ରହିଛି । ଆସନ୍ତା ସପ୍ତାହରେ ରମଜାନ ସରିବାକୁ ଯାଉଥିବାବେଳେ ତା ପୂର୍ବରୁ ଏହି ଆକ୍ରମଣ ହୋଇପାରେ ବୋଲି ସୂଚନା ମିଳିଛି । ଯଦି ଇସ୍ରାଏଲ ଉପରେ ଇରାନା ସିଧାସଳଖ ଆକ୍ରମଣ କରେ ତେବେ ଇସ୍ରାଏଲ-ହମାସ ଯୁଦ୍ଧର ପରିସର ଅଧିକ ବ୍ୟାପ୍ତ ହେବ ବୋଲି ଆଶଙ୍କା କରାଯାଉଛି । ତେଣେ ଇରାନ ଓ ଇସ୍ରାଏଲର ଦ୍ବିପାକ୍ଷିକ ବ୍ୟାପାରରେ ହସ୍ତକ୍ଷେପ ନ କରିବା ଲାଗି ଆମେରିକାକୁ ଚେତାବନୀ ଦେଇଛନ୍ତି ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସି ।

ବିଭିନ୍ନ ରାଷ୍ଟ୍ରରେ ରହିଥିବା ଆମେରିକୀୟ ଦୂତାବାସକୁ ଆମେରିକା ପ୍ରାଧାନ୍ୟ ଦେଇଥାଏ । ଦୂତାବାସ ଉପରେ ଆକ୍ରମଣକୁ ଆମେରିକା ଉପରେ ଆକ୍ରମଣ ବୋଲି ଆମେରିକା ସର୍ବଦା ବିଚାର କରିଆସିଛି । ଗତ ଗୁରୁବାର ଇରାନର ସମ୍ଭାବ୍ୟ ଆକ୍ରମଣ ପ୍ରସଙ୍ଗରେ ଆଲୋଚନା କରିଥିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ଯାନାହୁ । ଇରାନଠାରୁ ଇସ୍ରାଏଲ ଉପରେ କୌଣସି ପ୍ରକାର ଆକ୍ରମଣକୁ ବିରୋଧ କରୁଛି ଆମେରିକା । ଇସ୍ରାଏଲର ସୁରକ୍ଷା ଆମେରିକାର ପ୍ରାଥମିକ କର୍ତ୍ତବ୍ୟ ହୋଇଆସିଛି । ସେପଟେ ଇସ୍ରାଏଲ ଉପରେ ଯେକୌଣସି ପ୍ରକାର ହମଲା ଲାଗି ପ୍ରସ୍ତୁତ ଥିବା ସୂଚନା ଦେଇଛି ହେଜବୁଲ୍ଲା ।