ୟୁକ୍ରେନ ସହ ସମ୍ଭାବ୍ୟ ଯୁଦ୍ଧ ଲାଗି ଦାୟୀ ଆମେରିକା: ପୁଟିନ୍

1 min read

ନୂଆଦିଲ୍ଲୀ: ଓ୍ବାର ଫୁଟେଜରେ ଆମେରିକା । ଋଷ ଉପରେ ଆକ୍ରମଣ ଲାଗି ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ପୋଲାଣ୍ଡ, ଜର୍ମାନୀ ଓ ରୋମାନିଆକୁ ସୈନ୍ୟ ପଠାଇବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବିଡେନ ନିର୍ଦ୍ଦେଶ ଦେଇଛନ୍ତି । ବିଡେନଙ୍କ ଏହି ଘୋଷଣା ସମ୍ଭାବ୍ୟ ଆକ୍ରମଣର ଏକ ପୂର୍ବ ସୂଚନା ବୋଲି ଜଣାପଡିଛି । ବେଲାଋଷରେ ଋଷ ନିଜର ସାମରିକ କାର୍ଯ୍ୟକଳାପ ବୃଦ୍ଧି କରିଥିବା ବେଳେ, ଏହାକୁ ଚେକ୍ ଦେବା ଲାଗି ଆମେରିକା ଏହି ପଦକ୍ଷେପ ନେଇଛି । ସେପଟେ ବ୍ରିଟେନର ସୀମା ଭିତରକୁ ଋଷ ଯୁଦ୍ଧ ବିମାନର ପ୍ରବେଶ ଉଦ୍ୟମ ବିଫଳ ହୋଇଛି । ଚାରିଟି ଯୁଦ୍ଧ ବିମାନର ଏହି ଉଦ୍ୟମକୁ ପଣ୍ଡ କରିଛି ବ୍ରିଟେନ ରୟାଲ ଏୟାର ଫୋର୍ସ । ବ୍ରିଟେନ ସୀମା ଆଡକୁ ଏହି ଯୁଦ୍ଧ ବିମାନ ଆସୁଥିବା ଲକ୍ଷ୍ୟ କରି ଏସବୁକୁ ଦିଗଭ୍ରଷ୍ଟ କରିବାକୁ ସକ୍ଷମ ହୋଇଛି ରୟାଲ ଏୟାରଫୋର୍ସ ।

ଏୟାରଫୋର୍ସ ପକ୍ଷରୁ କୁହାଯାଇଛି ଋଷର ଏହି ଚାରିଟି ଷ୍ଟ୍ରାଟେଜିକ ବମ୍ବର ବ୍ରିଟେନ ସୀମା ପାର୍ ହେବାକୁ ଉଦ୍ୟମ କରୁଥିଲେ । ବ୍ରିଟେନ ଆକାଶସୀମା ଭିତରକୁ ବାରମ୍ବାର ଋଷ ଯୁଦ୍ଧ ବିମାନ ପ୍ରବେଶ ଉଦ୍ୟମ କରୁଥିବା ନେଇ ବ୍ରିଟେନ ଅଭିଯୋଗ କରିଛି । ସେପଟେ ବେଲାଋଷ, କ୍ରିମିଆ, ପଶ୍ଚିମାଞ୍ଚଳରେ ଋଷ ନିଜର ସେନା ସଂଖ୍ୟା ବଢାଇଛି । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସୈନ୍ୟ ମୁତୟନ ହୋଇଥିବା ବେଳେ କୌଶଳଗତ ସ୍ଥାନରେ ଲାଇଭ-ଫାୟାର ଆର୍ଟିଲେରି ମୁତୟନ କରାଯାଇଛି । ପୋଗୋନୋଭ ଟ୍ରେନିଂ ଗ୍ରାଉଣ୍ଡରେ ସୈନ୍ୟମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ।

ଅନ୍ୟପକ୍ଷରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ଋଷ ଓ ୟୁକ୍ରେନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ଲାଗି ଆମେରିକା ଦାୟୀ । ସେପଟେ ଯୁଦ୍ଧର ଘନଘଟା ସମ୍ପର୍କରେ ଭାରତ ସହ ଯୋଗସୂତ୍ରରେ ରହିଛି ଋଷ । ଋଷର ଏକ ସହଯୋଗୀ ରାଷ୍ଟ୍ର ଭାବେ ରହି ଆସିଥିବା ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପାଶ୍ଚାତ୍ୟ ବ୍ୟାପାର ବିଭାଗ ସଚିବ ରିନତ ସାନ୍ଧୁଙ୍କ ସହ ଆଲୋଚନା କରିଛନ୍ତି ଋଷ ବୈଦେଶିକ ବ୍ୟାପାର ଉପମନ୍ତ୍ରୀ ସର୍ଗେଇ ଭର୍ସନିନ । ତେଣେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦମିର ଜେଲେନସ୍କିଙ୍କୁ ଭେଟିଛନ୍ତି ତୁର୍କୀ ରାଷ୍ଟ୍ରପତି ରେସିପ ଏର୍ଡୋଗାନ  ।

Leave a Reply