ଯୁଦ୍ଧଗ୍ରସ୍ତ ୟୁକ୍ରେନ ପାଇଁ ୭ଶହ ମିଲିୟନ୍ ଡଲାର ପ୍ୟାକେଜ ଘୋଷଣା କଲା ଆମେରିକା

ଓ୍ୱାସିଂଟନ: ୟୁକ୍ରେନ ପାଇଁ ପୁଣି ବମ୍ପର ପ୍ୟାକେଜ୍ ଘୋଷଣା କରିଛି ଆମେରିକା । ଜେଲେନସ୍କିଙ୍କ ସହ ଆମେରିକାର ଉଚ୍ଚସ୍ତରୀୟ ଅଧିକାରୀଙ୍କ ବୈଠକ ପରେ ଯୁଦ୍ଧଗ୍ରସ୍ତ ରାଷ୍ଟ୍ର ପାଇଁ ୭ଶହ ମିଲିୟନ ଡଲାରର ପ୍ୟାକେଜ ଘୋଷଣା କରିଛି ଯୁକ୍ତରାଷ୍ଟ୍ର ଆମେରିକା । ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର କିଣିବାକୁ ସେଥିରୁ ୩ଶହ ମିଲିୟନ ଡଲାର ଖର୍ଚ୍ଚ କରିବ ୟୁକ୍ରେନ ।

ଗତକାଲି ୟୁକ୍ରେନ ରାଜଧାନୀ କିବରେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଥିଲେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଓ ପ୍ରତିରକ୍ଷା ମନ୍ତ୍ରୀ ଲିଡ ଅଷ୍ଟିନ । ଋଷ ଆକ୍ରମଣ ପରେ ପ୍ରଥମଥର ଲାଗି ଆମେରିକାର ଅଧିକାରୀ ୟୁକ୍ରେନ ଗସ୍ତ କରିଥିଲେ । ଋଷ ସୈନ୍ୟ ୟୁକ୍ରେନରେ ପଛଘୁଞ୍ଚା ଦେଇଛନ୍ତି ବୋଲି କିବରୁ ଫେରିବା ପରେ କହିଛନ୍ତି ଆମେରିକାର ବୈଦେଶିକ ସଚିବ ।

ପୋର୍ଟ ସିଟିରେ ରକ୍ତାକ୍ତ ସଂଘର୍ଷ ଓ ରାଜଧାନୀ କିବ୍ ର ସୁରକ୍ଷା ପାଇଁ ୟୁକ୍ରେନ ଆହୁରି ଶକ୍ତିଶାଳୀ ଅସ୍ତ୍ର ଯୋଗାଇବାକୁ ଦାବି କରିଛନ୍ତି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଏହାସହ କିବରେ ଖୁବଶୀଘ୍ର ଆମେରିକା ଦୂତାବାସ ଖୋଲିବ ବୋଲି ଗତକାଲି ଦୁଇଦେଶର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଛି ।

୨୦୧୯ ପରେ ଜଣେ ଆମେରିକୀୟ ପ୍ରତିନିଧି ଏହି ଦୂତାବାସର ପ୍ରତିନିଧିତ୍ବ କରିବେ । ଋଷ ବିରୋଧରେ ଯୁଦ୍ଧକୁ ଜୋରଦାର କରିବାକୁ ଗତ ଗୁରୁବାର ୮ଶହ ମିଲିୟନ ଡଲାରର ସାମରିକ ସହାୟତା ଘୋଷଣା କରିଥିଲା ଆମେରିକା । ସେପଟେ ବନ୍ଦର ସହର ମାରିୟୁପୋଲ, ଓଡେଶାର ଆବାସିକ ଅଞ୍ଚଳରେ ମିସାଇଲ ହମଲା ଜୋରଦାର କରିଛି ଋଷ । ଓଡ଼େଶାର ଏକ ବିଲ୍ଡିଂରେ ହମଲାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି । ମାରିୟୁପୋଲର ଷ୍ଟିଲ ପ୍ଲାଣ୍ଟ ଓ ଖାରକିବରେ ଜୋରଦାର ସେଲିଂ ଜାରିରହିଛି । ମାରିୟୁପୋଲଠାରେ ଋଷର ଅନେକ ମିଲିଟାରୀ ୟୁନିଟକୁ ୟୁକ୍ରେନ ସେନା ଧ୍ବଂସ କରିଦେଇଛନ୍ତି ବୋଲି ରିପୋର୍ଟ ଦେଇଛି ଆମେରିକାର ସାମରିକ ଗୁଇନ୍ଦା ।

ଏଥିସହିତ ପଢ଼ନ୍ତୁ: ଆମେରିକୀୟ କମ୍ପାନୀ ଟେସଲା ମାଲିକଙ୍କୁ ଭାରତର ଟେସଲା ଦେଖାଇଲେ ଆନନ୍ଦ ମହିନ୍ଦ୍ରା