ଦୁଇ ସୁପରପାଓ୍ବାର ମୁହାଁମୁହିଁ: ପାନାମା କେନାଲକୁ ନେଇ ଆମେରିକା-ଚୀନ ମଧ୍ୟରେ ନୂଆ ବିବାଦ ଆରମ୍ଭ
1 min read
ଗ୍ରୀନଲାଣ୍ଡ ପରେ ଏବେ ପାନାମା କେନାଲ ଉପରେ ଆମେରିକାର ଆଖି । ପାନାମା କେନାଲକୁ ନେଇ ଦୁଇ ସୁପରପାଓ୍ବାର ମୁହାଁମୁହିଁ। ଆମେରିକା ଓ ଚୀନ ମଧ୍ୟରେ ଟ୍ରେଡ ଓ୍ବାର ଚାଲିଥିବାବେଳେ ବର୍ତ୍ତମାନ ଆରମ୍ଭ ହୋଇଛି ପାନାମା କେନାଲକୁ ନେଇ ବିବାଦ। କେନାଲର ପରିଚାଳନାରେ ବାଧା ସୃଷ୍ଟି ଲାଗି ଚୀନକୁ ସୁଯୋଗ ଦିଆଯିବ ନାହିଁ ବୋଲି କହିଛନ୍ତି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ପିଟ ହେଗସେଥ । ପାନାମା ଉପରେ ଚୀନର ଅଯଥା ହସ୍ତକ୍ଷେପର ପ୍ରତିରୋଧ କରାଯିବ ବୋଲି ସେ କହିଛନ୍ତି । ପାନାମା କେନାଲକୁ ଆମେରିକା ଶହେ ବର୍ଷ ତଳୁ ନିର୍ମାଣ କରିଥିବା ବେଳେ ଏହାକୁ ୨୯୯୯ରେ ପାନାମା ହାତରେ ଅର୍ପଣ କରିଥିଲା ।
ଟଲାଣ୍ଟିକ ଓ ପ୍ରଶାନ୍ତ ମହାସାଗରକୁ ଯୋଡୁଥିବା ପାନାମା କେନାଲରେ ଉଭୟ ମୁଣ୍ଡରେ ହଂକଂର ପାନାମା ପୋର୍ଟସ କମ୍ପାନୀ ଜାହାଜ ପରିଚାଳନା କରୁଛି । ଯାହାକି ଜାହାଜ ଜରିଆରେ ହେଉଥିବା ପରିବହନର ୫ ପ୍ରତିଶତ । ପାନାମା କେନାଲରେ ଚୀନର ପ୍ରଭାବ ହ୍ରାସ ଲାଗି ଟ୍ରମ୍ପ ପ୍ରଶାସନ ଜୋରଦାର ଉଦ୍ୟମ କରୁଛି ଏବଂ ଏହାକୁ ଜାତୀୟ ନିରାପତ୍ତା ସହ ତୁଳନା କରୁଛି । ବିଶ୍ବର ଏକ ଆଶ୍ଚର୍ଯ୍ୟ ଭାବେ ପାନାମା କେନାଲକୁ ଦର୍ଶାଇ ହେଗସେଥ କହିଛନ୍ତି- ଏହି କେନାଲକୁ ଚୀନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିପାରିବ ନାହିଁ । ଏହାକୁ ଆମେରିକା ବିରୋଧ କରିବ । ଚୀନ କବଳରୁ କେନାଲକୁ ମୁକ୍ତ କରିବା ଲାଗି ପାନାମା ରାଷ୍ଟ୍ରପତି ଜୋସ ରାଉଲ ମୁଲିନୋଙ୍କ ସହ ଆଲୋଚନା କରିଛନ୍ତି ହେଗସେଥ । କେନାଲରେ ଚୀନକୁ ସୁଯୋଗ ଦେବା ଦ୍ବାରା ପାନାମା ଓ ଆମେରିକା ପ୍ରତି ଗୁଇନ୍ଦାସ୍ତରୀୟ ବିପଦ ସୃଷ୍ଟି ହେଉଛି ବୋଲି କହିଛନ୍ତି ହେଗସେଥ ।
ସେପଟେ ଆମେରିକାର ଅଭିଯୋଗକୁ ଖଣ୍ଡନ କରିଛି ପାନାମାସ୍ଥିତ ଚୀନ ଦୂତାବାସ । ପ୍ରଶାନ୍ତ ମହାସାଗରୀୟ ପଟରେ ବାଲବୋଆ ପୋର୍ଟ ଓ ଆଟଲାଣ୍ଟିକ ମହାସାଗର ପଟରେ ଖ୍ରୀଷ୍ଟୋବାଲ ପୋଟର ପ୍ରତିଷ୍ଠା କରିଛି ହଂକଂର ପାନାମା ପୋର୍ଟ୍ସ କମ୍ପାନୀ । ୨୯୯୭ରୁ ୨୦୨୧ ଏବଂ ୨୦୨୧ରୁ ଆଉ ୨୫ ବର୍ଷ ଯାଏ ଦୁଇ ବନ୍ଦରର ପରିଚାଳନା ଭାର ନେଇଛି କମ୍ପାନୀ । ସେପଟେ ହଂକଂର ବୃହତ କମ୍ପାନୀ ସି.କେ. ହଟଚିସନ ପାନାମା କେନାଲରେ ଥିବା ଦୁଇଟି ବନ୍ଦର ସମେତ ୪୩ଟି ବନ୍ଦରକୁ ୨୩ଟି ରାଷ୍ଟ୍ରକୁ ବିକିବା ଲାଗି ଗତ ମାର୍ଚ୍ଚରେ ଚୁକ୍ତିନାମା ସ୍ବାକ୍ଷର କରିବା ପରେ ଆମେରିକା ଲାଗି ଅଧିକ ଚାଲେଞ୍ଜ ସୃଷ୍ଟି ହୋଇଛି । ୮୨ କିଲୋମିଟର ଦୀର୍ଘ ଏହି କେନାଲ ନିର୍ମାଣକୁ ୧୯୧୪ରେ ଶେଷ କରିଥିଲା ଆମେରିକା ।