ସମଲିଙ୍ଗୀ ବିବାହ ନେଇ ‘ସୁପ୍ରିମ’ ରାୟ : ‘କୋର୍ଟ କରିପାରିବେନି ଆଇନ, ଏହା ସଂସଦର ଅଧିକାର’

ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହ ନେଇ ଦାୟିତ୍ୱ ଖସାଇ କେନ୍ଦ୍ର ଉପରେ ଲଦିଦେଲେ ସୁପ୍ରିମକୋର୍ଟ । ଏକାଠି ରହିପାରିବେ ସମଲିଙ୍ଗୀ କିନ୍ତୁ ବିବାହ ସଂସଦର ଅଧିକାର ପରିସରଭୁକ୍ତ । ସର୍ବୋଚ୍ଚ୍ ନ୍ୟାୟାଳୟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ବିଚାରପତିଙ୍କୁ ନେଇ ଖଣ୍ଡପୀଠରେ ହୋଇଥିଲା ଶୁଣାଣି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି ଯେ, ଏହା ସଂସଦର ଅଧିକାର ପରିସର ମଧ୍ୟରେ ଆସୁଅଛି।

ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାର ସମଲିଙ୍ଗୀଙ୍କ ଅଧିକାର ନେଇ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ନର୍ଦ୍ଦେଶ ଦେଇଛନ୍ତି । ସ୍ବତନ୍ତ୍ର ବିବାହ ଅଧିନିମୟରେ ପରିବର୍ତ୍ତନ ସଂସଦର ଅଧିକାର। ସ୍ବତନ୍ତ୍ର ବିବାହ ନିୟମରେ କିଛି ପରିବର୍ତ୍ତନର ଆବଶ୍ୟକ ଅଛି କି ନାହିଁ ଏହା ସଂସଦକୁ ଖୋଜି ବାହାର କରିବାକୁ ପଡିବ। ଏଥିଲାଗି ସଂସଦଙ୍କୁ ସତର୍କତାର ସହ ପଦକ୍ଷେପ ଗ୍ରହଣ କରିବାକୁ ପଡିବ। ସ୍ବତନ୍ତ୍ର ବିବାହ ଅଧିନିୟମରେ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଅନେକ ସମୟରେ ବିଭିନ୍ନ ସମୁଦାୟ ବିରୋଧ କରି ଆସୁଛନ୍ତି।

ସ୍ବତନ୍ତ୍ର ବିବାହ ଅଧିନିୟମକୁ ଅସାମ୍ବିଧାନିକ ଦର୍ଶାଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସ୍ବତନ୍ତ୍ର ବିବାହ ଅଧିନିୟମକୁ ଯଦି ରଦ୍ଦ କରାଯାଉଛି ତେବେ ଏହା ସ୍ବାଧୀନତା ପୂର୍ବରୁ ଯୁଗକୁ ଦେଶବାସୀଙ୍କୁ ନେଇଯିବ। ସମଲିଙ୍ଗୀଙ୍କ ସମ୍ପର୍କ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ । ମାମଲାର ଶୁଣାଣି ଆରମ୍ଭରେ ମତ ପ୍ରକାଶ କରି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କହିଥିଲେ ଯେ, ଜୀବନସାଥୀ ବାଛିବା ଜୀବନର ଏକ ମହତ୍ବପୂର୍ଣ୍ଣ ଅଂଶ ।

ସାଥି ବାଚିବା ଏବଂ ସେହି ସାଥୀଙ୍କ ସହ ଜୀବନ ଅତିବାହିତ କରିବାର କ୍ଷମତା ଜୀବନ ଏବଂ ସ୍ବାଧୀନତା ଅଧିକାର ମଧ୍ୟରେ ଆସୁଅଛି । ଜୀବନ ଅଧିକାର ଅନ୍ତର୍ଗତ ଜୀବନ ସାଥୀ ବାଛିବାର ଅଧିକାର ରହିଛି । ଏଲଜିବିଟି ସମୁଦାୟ ସମେତ ସମସ୍ତ ବ୍ୟକ୍ତିଙ୍କୁ ଜୀବନସାଥୀ ବାଛିବାର ଅଧିକାର ରହିଛି । ଅଦାଲତ ନିୟମ ପ୍ରସ୍ତୁତ କରିପାରିବ ନାହିଁ। କିନ୍ତୁ ନିୟମର ତର୍ଜମା କରିପାରିବେ। ସମଲିଙ୍ଗୀ ସମ୍ପର୍କକୁ ପୂର୍ବରୁ ସୁପ୍ରିମକୋର୍ଟ ବୈଧ ଭାବେ ସ୍ବୀକୃତି ଦେଇ ସାରିଛନ୍ତି। ଗତ ୧୧ ମେ ୨୦୨୩ରେ ଏହି ମାମଲାରେ ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବା ଲାଗି ୧୮ ଜଣ ସମଲିଙ୍ଗୀ ଦମ୍ପତି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।