ନନ୍ଦିଘୋଷ ବ୍ୟୁରୋ : ବିଶ୍ୱର ସବୁଠାରୁ ବଡ଼ ଇ-କମର୍ସ କମ୍ପାନୀଗୁଡ଼ିକ ମଧ୍ୟରୁ ଅନ୍ୟତମ ଆମାଜନ୍, ନିଜର ପ୍ରାୟ ୩୦,୦୦୦ କର୍ପୋରେଟ୍ କର୍ମଚାରୀଙ୍କ ଛଟେଇ କରିବାକୁ ଯାଉଛି । ରୟଟର୍ସର ଏକ ରିପୋର୍ଟ ଅନୁଯାୟୀ, ଏହି ପଦକ୍ଷେପ କମ୍ପାନୀର ଖର୍ଚ୍ଚ କମାଇବା ଏବଂ ଭବିଷ୍ୟତ ରଣନୀତିକୁ ଧ୍ୟାନରେ ରଖି ଉଠାଯାଉଛି। କରୋନା ମହାମାରୀ ସମୟରେ ଆମାଜନ୍ ବଡ଼ ପରିମାଣରେ ନିଯୁକ୍ତି କରିଥିଲା, କିନ୍ତୁ ଏବେ ପରିସ୍ଥିତି ବଦଳିଯାଇଛି ପରେ କମ୍ପାନୀ ନିଜର କର୍ମଚାରୀ ସଂଖ୍ୟାକୁ “ସନ୍ତୁଳନ” କରିବାକୁ ଚେଷ୍ଟା କରୁଛି।
ମହାମାରୀରେ ହୋଇଥିଲା ‘ଅନିୟନ୍ତ୍ରିତ’ ନିଯୁକ୍ତି
କମ୍ପାନୀର ଆଧିକାରିକ କହିବା ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ, ବିଶେଷକରି କରୋନା କାଳରେ, ଯେତେବେଳେ ଅନଲାଇନ୍ କିଣାକିଣି ନିଜର ଉଚ୍ଚତମ ସ୍ଥାନରେ ଥିଲା, ସେତେବେଳେ ଆବଶ୍ୟକତାରୁ ଅଧିକ ଲୋକଙ୍କୁ କାମରେ ରଖାଯାଇଥିଲା। ସେହି ସମୟରେ ଚାହିଦା ପୂରଣ କରିବା ପାଇଁ ବଡ଼ ପରିମାଣରେ ନିଯୁକ୍ତି ହୋଇଥିଲା। ଏବେ ଯେତେବେଳେ ବଜାର ପୁଣି ସାଧାରଣ ହେଉଛି ଏବଂ ଅନେକ କ୍ଷେତ୍ରରେ ଚାହିଦା ପୂର୍ବ ଭଳି ନାହିଁ, ସେତେବେଳେ କମ୍ପାନୀ ନିଜର ଖର୍ଚ୍ଚ ପରିଚାଳନା କରିବା କଷ୍ଟକର ହେଉଛି। ତେଣୁ, କର୍ମଚାରୀ ସଂଖ୍ୟା ହ୍ରାସ କରି କାର୍ଯ୍ୟକୁ ସନ୍ତୁଳିତ କରିବାର ଏହି କଠୋର ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ୨୦୨୨ ଶେଷରେ ଆମାଜନ୍ ପ୍ରାୟ ୨୭,୦୦୦ କର୍ମଚାରୀଙ୍କୁ ବାହାର ରାସ୍ତା ଦେଖାଇଥିଲା। କିନ୍ତୁ ୩୦,୦୦୦ କର୍ମଚାରୀଙ୍କୁ ଏକାଠି ବାହାର କରିବା, ସେହି ସମୟ ପରେ, ଏଯାବତ୍ ସବୁଠାରୁ ବଡ଼ ଛଣ୍ଟଣି ହେବ।
ପ୍ରତି ୧୦ ଜଣରୁ ଜଣଙ୍କ ଚାକିରି ଯିବ!
କମ୍ପାନୀ ପାଖରେ ବିଶ୍ୱ ସାରା ୧୫.୫ ଲକ୍ଷ କର୍ମଚାରୀ ଅଛନ୍ତି, ଯେଉଁମାନଙ୍କ ମଧ୍ୟରେ ବଡ଼ ସଂଖ୍ୟକ ଗୋଦାମ ଏବଂ ଡେଲିଭରି ନେଟୱର୍କ ସହ ଜଡ଼ିତ କର୍ମଚାରୀ ଅନ୍ତର୍ଭୁକ୍ତ। ଏହି ଦୃଷ୍ଟିରୁ ୩୦,୦୦୦ ଲୋକ ମୋଟ ସଂଖ୍ୟାର ଏକ ଛୋଟ ଅଂଶ ମାତ୍ର। କିନ୍ତୁ, ଏହି ଛଟେଇର ପ୍ରକୃତ ଏବଂ ଗଭୀର ପ୍ରଭାବ କମ୍ପାନୀର କର୍ପୋରେଟ୍ ଗଠନ ଉପରେ ପଡ଼ିବ। ଆମାଜନ୍ ପାଖରେ ପ୍ରାୟ ୩.୫ ଲକ୍ଷ କର୍ପୋରେଟ୍ କର୍ମଚାରୀ ଅଛନ୍ତି, ଅର୍ଥାତ୍ ଯେଉଁ ଲୋକମାନେ ଅଫିସ୍ରେ ବସି ପରିଚାଳନା, ଟେକ୍ନୋଲୋଜି, ଯୋଜନା ଏବଂ ରଣନୀତି ଭଳି କାମ ସମ୍ଭାଳନ୍ତି। ଏହି ଛଟେଇର ଅର୍ଥ ହେଉଛି କମ୍ପାନୀ ନିଜର ପ୍ରାୟ ୧୦% କର୍ପୋରେଟ୍ କର୍ମଚାରୀଙ୍କୁ କମାଉଛି।
ଏହି ବିଭାଗଗୁଡ଼ିକ ଉପରେ ପଡ଼ିବ ପ୍ରଭାବ
ରୟଟର୍ସର ରିପୋର୍ଟ ଅନୁଯାୟୀ, ଏହି ଛଟେଇ କମ୍ପାନୀର ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ପ୍ରଭାବିତ କରିବ। ଏଥିରେ ମାନବ ସମ୍ବଳ ବିଭାଗ, ଯାହାକୁ ଆମାଜନ୍ ‘ପିପଲ୍ ଏକ୍ସପିରିଏନ୍ସ ଏଣ୍ଡ ଟେକ୍ନୋଲୋଜି’କୁହେ, ଡିଭାଇସ୍ ଏବଂ ସର୍ଭିସେସ୍ (ଯେମିତି ଆଲେକ୍ସା ଏବଂ ଅନ୍ୟ ଗ୍ୟାଜେଟ୍ ତିଆରି କରୁଥିବା ଟିମ୍) ଏବଂ ଅପରେସନ୍ସ ଡିଭିଜନ୍ ଅନ୍ତର୍ଭୁକ୍ତ।
କ’ଣ ଟେକ୍ନୋଲୋଜି ଚାକିରି ନେଉଛି?
କମ୍ପାନୀର ସିଇଓ, ଆଣ୍ଡି ଜେସି, ପୂର୍ବରୁ କହିଥିଲେ ଯେ, କମ୍ପାନୀରେ ବଢ଼ୁଥିବା ବ୍ୟୁରୋକ୍ରେସି ବା ଫାଇଲଚାଷକୁ କମ କରିବା ତାଙ୍କର ଉଦ୍ଦେଶ୍ୟ । ଏହାଠାରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଏହି ବର୍ଷ ଜୁନ୍ରେ ସଙ୍କେତ ଦେଇଥିଲେ ଯେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)ର ବଢ଼ୁଥିବା ବ୍ୟବହାର ଯୋଗୁଁ ଭବିଷ୍ୟତରେ ଆହୁରି ଚାକିରି କମିପାରେ।
ଇମାର୍କେଟରର ବିଶ୍ଲେଷକ ସ୍କାଇ କ୍ୟାନେଭସ୍ ଏହି ଛଟେଇକୁ ସିଧାସଳଖ AI ସହ ଯୋଡ଼ି ଦେଖୁଛନ୍ତି। ତାଙ୍କର ମତରେ, ଆମାଜନ୍ର ଏହି ପଦକ୍ଷେପ ଦର୍ଶାଉଛି ଯେ କମ୍ପାନୀ ଏବେ ନିଜର କର୍ପୋରେଟ୍ ଟିମ୍ଗୁଡ଼ିକରେ AIର ସାହାଯ୍ୟରେ ଉତ୍ପାଦକତା (ପ୍ରୋଡକ୍ଟିଭିଟି) ବଢ଼ାଇବାରେ ବଡ଼ ଅଗ୍ରଗତି ଦେଖୁଛି।

