ଜୁଲାଇ ୧ରୁ ଅମରନାଥ ଯାତ୍ରା, ଆସନ୍ତା ୧୭ରୁ ଆବେଦନ କରିପାରିବେ ଶ୍ରଦ୍ଧାଳୁ

ଶ୍ରୀନଗର: ଆସନ୍ତା ଜୁଲାଇ ୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା । ୬୨ ଦିନ ପର୍ଯ୍ୟନ୍ତ ଯାତ୍ରା ଚାଲିବା ନେଇ ଜାରି ହୋଇଛି କାର୍ଯ୍ୟସୂଚୀ । ଏଥିପାଇଁ ଶ୍ରଦ୍ଧାଳୁମାନେ ଆସନ୍ତା ୧୭ ତାରିଖଠାରୁ ଆବେଦନ କରିପାରିବେ । ଉଭୟ ଅଫଲାଇନ ଓ ଅନଲାଇନ ମାଧ୍ୟମରେ ଆବେଦନ କରିବା ସୁବିଧା ରହିଥିବା ଜାମ୍ମୁକାଶ୍ମୀର ଉପରାଜ୍ୟପାଳ ସୂଚନା ଦେଇଛନ୍ତି । ଅନନ୍ତନାଗରେ ଥିବା ପାହାଲଗାମ ଓ ଗଣ୍ଡେରବାଲ ଜିଲ୍ଲାରେ ଥିବା ବାଲଟାଲ ଟ୍ରାକରୁ ଯାତ୍ରା ଆରମ୍ଭ ହେବ । ଦକ୍ଷିଣ କଶ୍ମୀରରେ ଗୁମ୍ପାକୁ ଯାଇ ଶ୍ରଦ୍ଧାଳୁମାନେ ବାବା ଅମରନାଥଙ୍କ ଦର୍ଶନ କରିପାରିବେ ।

ଅଗଷ୍ଟ ୩୧ରେ ଯାତ୍ରା ସରିବାକୁ ଥିବାବେଳେ ସୁରୁଖୁରୁରେ ଯାତ୍ରା ଶେଷ କରିବାକୁ ପ୍ରଶାସନ ପ୍ରସ୍ତୁତି କରିଛି । ଶ୍ରଦ୍ଧାଳୁମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ପ୍ରାଥମିକତା ଦିଆଯାଉଛି । ଶ୍ରେଷ୍ଠ ସ୍ବାସ୍ଥ୍ୟ ସେବା ସହ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ । ବିଜୁଳି, ଚିକିତ୍ସା, ଟେଲିକମ ସେବାକୁ ଫୋକସରେ ରଖାଯାଇଛି ।