ଆଜିଠୁ ପୁଣି ଆରମ୍ଭ ହୋଇପାରେ ଅମରନାଥ ଯାତ୍ରା, ପ୍ରସ୍ତୁତ ଅଛି ସ୍ଥାନୀୟ ପ୍ରଶାସନ

ଅମରନାଥ: ଆଜିଠୁ ପୁଣି ଆରମ୍ଭ ହେବ ଅମରନାଥ ଯାତ୍ରା । ଶୁକ୍ରବାର ଅମରନାଥ ଗୁମ୍ପା ନିକଟରେ ବାଦଲଫଟା ବର୍ଷା ହୋଇ ବଡ଼ ଅଘଟଣ ଘଟିଥିଲା । ମୂଷଳଧାରାରେ ବର୍ଷା ଆସିବାରୁ ପ୍ରାୟ ୧୬ ଜଣଙ୍କର ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ସୁଦ୍ଧା ୪୦ ଜଣ ନିଖୋଜ ଅଛନ୍ତି । ଏଥିପାଇଁ କଶ୍ମୀରରେ ଥିବା ଦୁଇଟି ବେସ୍ କ୍ୟାମ୍ପରୁ ଅମରନାଥ ଯାତ୍ରାକୁ ବାତିଲ କରାଯାଇଥିଲା । କିନ୍ତୁ ଦୁଇ ଦିନ ପରେ ପୁଣି ସବୁ ପ୍ରସ୍ତୁତି କରିଛି ସ୍ଥାନୀୟ ପ୍ରଶାସନ । ତେଣୁ ଆଜିଠୁ ପୁଣି ଅମରନାଥ ଯାତ୍ରା ଆରମ୍ଭ ହେବ ।

ଗତ ଜୁନ୍‌ ୩୦ରୁ ବାର୍ଷିକ ୪୩ ଦିନିଆ ଅମରନାଥ ଯାତ୍ରା ପାଇଁ ଅନୁମତି ମିଳିଥିଲା । ପ୍ରାୟ ୧ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଗୁମ୍ପାରେ ପ୍ରାର୍ଥନା କରିଛନ୍ତି । ଏଠାରେ ବରଫାକୃତିର ଶିବଲିଙ୍ଗ ରହିଛି । ଏହି ବିରଳ ଦୃଶ୍ୟକୁ ଦେଖିବାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି । ଜୁନ୍‌ ୨୯ ପରଠାରୁ ପ୍ରାୟ ୧୦ଟି ବ୍ୟାଚର ୬୯ ହଜାର ୫୩୫ ଶ୍ରଦ୍ଧାଳୁ ଜମ୍ମୁ ଭେଲିରେ ଥିବା ଭଗବତୀନଗର ବେସ କ୍ୟାମ୍ପରୁ ଅନୁମତି ପାଇ ଯାତ୍ରା କରିଥିବା ରେକର୍ଡରୁ ଜଣାପଡ଼ିଛି ।