ସଂଶୋଧିତ ହେବ ଆମସାର୍ ଆଇନ: ସାରା ଦେଶକୁ ବାଟ ଦେଖାଇବ ଓଡ଼ିଶା

ଭୁବନେଶ୍ବର: ସାରା ଦେଶକୁ ପୁଣି ବାଟ ଦେଖାଇବ ଓଡ଼ିଶା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାଜିବ ଉଦାହରଣ । ଧାର୍ମିକ ସ୍ଥଳରେ ପର୍ଯ୍ୟଟକ ଏବଂ ଭକ୍ତଙ୍କ ସୁବିଧା ପାଇଁ କେହି ବାଧକ ହେବେ ନାହିଁ । ଧର୍ମପୀଠରୁ ୧୦୦ ମିଟର ଭିତରେ ଥିବା ସଂରକ୍ଷିତ ଅଞ୍ଚଳରେ ଭକ୍ତଙ୍କ ପାଇଁ ବିଶ୍ରାମାଗାର, ଶୌଚାଳୟ ନିର୍ମାଣ ହୋଇପାରିବ । ଏହା ଆଗକୁ ୧୦୦ ମିଟର ନିୟନ୍ତ୍ରିତ ଅଞ୍ଚଳରେ ବି ଭକ୍ତଙ୍କ ସୁବିଧା ପାଇଁ ନିର୍ମାଣ ହୋଇପାରିବ । ଏଥିପାଇଁ ବାଧକ ସାଜୁଥିବା ଆମସାର୍ ଆଇନ ୧୯୫୮ରେ କରାଯିବ ସଂଶୋଧନ ।  ଏଥିପାଇଁ ସଂସଦର ସିଲେକ୍ଟ କମିଟି ସୁପାରିସ କରିଥିବା ବେଳେ ଦିନକ ତଳେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କିଷନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ରୀୟ ପ୍ରତ୍ନତାତ୍ତ୍ବିକ ଉପଦେଷ୍ଟା କମିଟି ବୈଠକରେ ଏନେଇ ସହମତି ପ୍ରକାଶ ପାଇଛି । ଆଇନ ସଂଶୋଧନ ପାଇଁ ସାରା ଦେଶକୁ ଓଡ଼ିଶା ବାଟ ଦେଖାଇଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାଜ୍ୟ ସରକାରଙ୍କ ଏକ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ । ଭକ୍ତଙ୍କ ସୁବିଧା ପାଇଁ ଏହି ପଦକ୍ଷେପ ନିଆଯାଇଛି । କିନ୍ତୁ ଏହାକୁ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ବିରୋଧ କରି ଅଯଥା ବିବାଦ ସୃଷ୍ଟି କରିଥିଲେ । ଶେଷରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ମୋହର ମାରିଲେ । ଆମସାର ଆଇନ ସଂଶୋଧନ ହେବାର ବାଟ ଫିଟିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଶର ଅନ୍ୟ ଧାର୍ମିକ ପୀଠର ବିକାଶ ପାଇଁ ବାଟ ଖୋଲିଛି । ସୂଚନାଯୋଗ୍ୟ, ୧୯୫୮ ମସିହାର ଆମସାର ଆଇନ ୨୦୧୦ରେ ପ୍ରଥମ ଥର ସଂଶୋଧନ ହୋଇଥିଲା ।