ଆକାଂକ୍ଷୀ ଜିଲ୍ଲାରେ କେନ୍ଦ୍ରୀୟ ଅନୁଦାନ ବନ୍ଦ, ବୋଝ ସହୁଛି ରାଜ୍ୟ
1 min readଭୁବନେଶ୍ୱର: ବିଜେଡି ସାଂସଦ ଅମର ପଟ୍ଟନାୟକ କେନ୍ଦ୍ରୀୟ ପବର୍ତ୍ତିତ ଯୋଜନାରେ ସେୟାରିଂ ପାଟର୍ନ ବଦଳାଇବାକୁ ରାଜ୍ୟସଭାରେ ଧ୍ୟାନ ଆକର୍ଷଣକାରୀ ନୋଟିସ ଦେଇଛନ୍ତି । ସାମାଜିକ ଅର୍ଥନୈତିକ ଦୃଷ୍ଟି କୋଣରୁ ପଛୁଆ ଅଞ୍ଚଳ ଭାବେ ବିବେଚିତ ହେଉଥିବା ଆକାଂକ୍ଷୀ ଜିଲ୍ଲା ତାଲିକାରେ ଓଡିଶାର ୮ଟି ଜିଲ୍ଲା ସାମିଲ କରାଯାଇଛି । ହେଲେ ବିନା କୌଣସି ବଜେଟ ଅନୁଦାନ ଏବଂ ଏହି ଜିଲ୍ଲା ଗୁଡିକରେ ୮ଟି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ବନ୍ଦ କରିଦେବା ଫଳରେ ରାଜ୍ୟ ସରକାରଙ୍କ ଉପରେ ଅଜଥା ବୋଝ ପଡୁଛି ।
ଏହା ସହ ପ୍ରାକୃତିକ ବିପର୍ଯ୍ୟୟକୁ ଓଡିଶା ପ୍ରତିବର୍ଷ ସାମ୍ନା କରୁଥିବାରୁ ଗତ ୨୫ବର୍ଷ ମଧ୍ୟରେ ୮୫ହଜାର ୩୧୩କୋଟି କ୍ଷତି ସହିଛି । ୨୦୨୦-୨୧ରେ ୧୪୭୧କୋଟି ଟଙ୍କା କ୍ଷତି ହୋଇଥିବା ବେଳେ ୬୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ସ୍ୱତନ୍ତ୍ର ରାଜ୍ୟପାହ୍ୟା ପାଇଁ ଥିବା ସର୍ତ୍ତରେ ପ୍ରାକୃତିକ ବିପର୍ଯ୍ୟୟକୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ଦାବି କରି ଆସୁଛନ୍ତି ।
ଏସବୁକୁ ନଜର ରଖି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ କେନ୍ଦ୍ର-ରାଜ୍ୟ ଅନୁଦାନର ଅନୁପାତ ବଦଳାଇବାକୁ ସାଂସଦ ଅମର ପଟ୍ଟନାୟକ ଦାବି କରିଛନ୍ତି । ଏହାସହ ବିପର୍ଯ୍ୟୟକୁ ମୁକାବିଲା କରିପାରୁଥିବା ଅଣ୍ଡର ଗ୍ରାଉଣ୍ଡ କେବଲିଂ ଏବଂ ସମୁଦ୍ରକୁଳ ଅଞ୍ଚଳରେ ସ୍ଥାୟୀ ବିଦ୍ୟୁତ ଭିତ୍ତିଭୂମି ପ୍ରତିଷ୍ଠା କରିବାକୁ ସାଂସଦ ଅମର ପଟ୍ଟନାୟକ ଧ୍ୟାନ ଆକର୍ଷଣକାରୀ ନୋଟିସ ଜରିଆରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ।