ଇଣ୍ଡିଆ ଗେଟରେ ଆଜିଠୁ ଜଳିବନି ଅମର ଯବାନ ଜ୍ୟୋତି ମଶାଲ

1 min read

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟରେ ନିର୍ମିତ ଅମର ଯବାନ ଜ୍ୟୋତିରେ ଜଳୁଥିବା ମଶାଲ ସବୁଦିନ ପାଇଁ ଲିଭି ଯିବ । ଏବେ ଏହି ମଶାଲ ନ୍ୟାସନାଲ ଓ୍ବାର ମେମୋରିଆଲ ମଶାଲ ସହ ମିଶି ଜଳିବ । ଆଜି ଅପରାହ୍ଣ ସାଢେ ୩ଟାରେ ଆୟୋଜିତ କାର୍ଯ୍ୟକ୍ରମରେ ଅମର ଯବାନ ଜ୍ୟୋତି ମିଶାଲକୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ମଶାଲ ସହ ମିଶାଇ ଦିଆଯିବ ।

ଅମର ଯବାନ ଜ୍ୟୋତିରେ ମଶାଲ ଜଳିବା ବନ୍ଦ କରାଯିବାକୁ ନେଇ ଯୁକ୍ତି ଦିଆଯାଉଛି ଯେ, ଦୁଇଟି ସ୍ଥାନରେ ମଶାଲର ରକ୍ଷଣାବେକ୍ଷଣ କରିବାରେ ବହୁତ ସମସ୍ୟା ହେଉଛି । ସେନା ପକ୍ଷରୁ କୁହାଯାଇଛି, ‘ସହିଦଙ୍କ ପାଇଁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିର୍ମାଣ କରାଯାଇଛି । ତେଣୁ ଅମର ଯବାନ ଜ୍ୟୋତିରେ କାହିଁକି ଅଲଗା ମଶାଲ ଜଳାଯିବ ।’

ସେନା ପକ୍ଷରୁ ଏହା ମଧ୍ୟ କୁହାଯାଇଛି, ‘ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ସବୁ ସହିଦଙ୍କ ନାଁ ଉଲ୍ଲେଖ ରହିଛି । ଏଥିରେ ୨୫ ହଜାର ୯ ଶହ ୪୨ ସହିଦ ଯବାନଙ୍କ ନାଁ ରହିଛି । ସହିଦଙ୍କ ପରିବାର ଲୋକେ ଏଠାକୁ ନିୟମିତ ଆସୁଛନ୍ତି । ଅମର ଯବାନ ଜ୍ୟୋତି ଶୁକ୍ରବାର ଅପରାହ୍ଣରେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ଜଳୁଥିବା ମଶାଲରେ ସବୁଦିନ ପାଇଁ ମିଶିଯିବ ।’

୨୦୧୯ ଫେବୃୟାରୀ ୨୫ରେ ଓ୍ବାର ମେମୋରିଆଲ ଉଦଘାଟନ ହୋଇଥିଲା । ୪୦ ଏକର ଜମିରେ ନିର୍ମିତ ମେମୋରିଆଲ ପାଇଁ ୧୭୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।  ସୂଚନାଯୋଗ୍ୟ ଇଣ୍ଡିଆ ଗେଟ୍ ବ୍ରିଟିସ ସରକାର ନିର୍ମାଣ କରିଥିଲେ । ପ୍ରଥମ ବିଶ୍ବଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କୁ ବ୍ରିଟିସ୍ ସରକାର ଶ୍ରଦ୍ଧାଞ୍ଜଳି ଦେଇ ଏହାକୁ ନିର୍ମାଣ କରିଥିଲେ । ଏହାପରେ ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କ ସ୍ମୃତିରେ ଅମର ଯବାନ ଜ୍ୟୋତି ଜଳାଯାଇଥିଲା । ୧୯୭୨ ଜାନୁଆରୀ ୨୬ ତାରିଖରେ ତତକାଳିନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏହାକୁ ଉଦଘାଟନ କରିଥିଲେ ।

Leave a Reply