ଇତିହାସରେ ନୂଆ ଅଧ୍ୟାୟ, ଗୋଟିଏ ସ୍ଥାନରେ ଜଳିବ ସହିଦ ଜ୍ୟୋତି

1 min read

ନୂଆଦିଲ୍ଲୀ: ଭାରତ ଇତିହାସରେ ଯୋଡ଼ି ହେଲା ନୂଆ ଇତିହାସ। ଏଣିକି ଦେଶରେ ଜଳିବ ଗୋଟିଏ ଅମର ଯବାନ ଜ୍ୟୋତି । ଜାତୀୟ ଯୁଦ୍ଧ ସ୍ମାରକୀରେ ମିଶିଲା ଇଣ୍ଡିଆ ଗେଟ ସ୍ଥିତ ଅମର  ଯବାନ ଜ୍ୟୋତି ।  ଜାତୀୟ ଯୁଦ୍ଧ ସ୍ମାରକୀରେ ଜଳୁଥିବା ଦୀପ ସହ ଅମର ଯବାନ ଜ୍ୟୋତିକୁ ମିଶାଇ ଦିଆଯାଇଛି । ସମନ୍ୱିତ ପ୍ରତିରକ୍ଷା ବାହିନୀ ମୁଖ୍ୟ ଏୟାର ମାର୍ଶାଲ ବଳଭଦ୍ର ରାଧା କ୍ରିଷ୍ଣା ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । କ୍ରମାଗତ ଭାବେ ଦୁଇଟି ଦୀପ ଜଳୁଥିବାରୁ ବିଭିନ୍ନ ସମସ୍ୟା ଉପୁଜିବା ନେଇ ଅନୁଭବ କରାଯିବା ପରେ ଏହି ପଦକ୍ଷେପ ନିଆଯାଇଛି ।

ଏହାସହ ଯୁକ୍ତି ବି କରାଯାଉଥିଲା ଯେ- ଦେଶର ସହିଦମାନଙ୍କ ଲାଗି ଜାତୀୟ ଯୁଦ୍ଧ ସ୍ମାରକୀରେ ଗୋଟିଏ ଦୀପ ଜଳୁଥିବା ବେଳେ ଅମର ଯବାନ ଜ୍ୟୋତିରେ ଅନ୍ୟ ଏକ ଦୀପ କାହିଁକି ଜଳିବ । ଏହା ସହ ଉଭୟ ସ୍ଥାନରେ ବି ସମାନ ସହିଦମାନଙ୍କ ନାମ ଲେଖାଯାଇଛି । 1947-48 ବିଭାଜନ, ଭାରତ-ପାକିସ୍ତାନ ଯୁଦ୍ଧ ଓ ଗଲୱାନ ସଂଘର୍ଷରେ ପ୍ରାଣ ହରାଇଥିବା ସହିଦ ଯବାନଙ୍କ ନାମ ଜାତୀୟ ଯୁଦ୍ଧ ସ୍ମାରକୀରେ ରହିଛି । ତେଣୁ ଦୁଇଟି ପୃଥକ ସ୍ଥାନରେ ଦୀପ ନଜଳି ଗୋଟିଏ ସ୍ଥାନରେ ଆଜିଠାରୁ ଜଳିବ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଦୀପ  ।

୪୦ ଏକର ପରିମିତ ଅଞ୍ଚଳରେ ନିର୍ମିତ ଜାତୀୟ ଯୁଦ୍ଧ ସ୍ମାରକୀକୁ ଗତ 2019 ଫେବ୍ରୁଆରୀରେ ଉଦଘାଟନ କରାଯାଇଥିଲା । ଏଠାରେ ଅମର ଚକ୍ର, ବୀରତା ଚକ୍ର, ତ୍ୟାଗ ଚକ୍ର, ରକ୍ଷକ ଚକ୍ର ନାମରେ ଚାରିଟି ସ୍ମୃତି ରହିଛି ଏବଂ 25 ହଜାର 942 ସହିଦଙ୍କ ନାମ ସୁବର୍ଣ୍ଣ ଅକ୍ଷରରେ ଖୋଦିତ ହୋଇଛି । ସେପଟେ 1914-1921 ପ୍ରଥମ ବିଶ୍ୱଯୁଦ୍ଧ କାଳରେ ସହିଦ ବ୍ରିଟିଶ ଭାରତୀୟ ସୈନ୍ୟଙ୍କ ସ୍ମୃତିରେ ତତକାଳୀନ ବ୍ରିଟିଶ ସରକାର ଇଣ୍ଡିଆ ଗେଟ ପ୍ରତିଷ୍ଠା କରିଥିଲେ । 1971 ଭାରତ-ପାକିସ୍ତାନ ଯୁଦ୍ଧରେ ପ୍ରାଣବଳି ଦେଇଥିବା ସୈନ୍ୟଙ୍କ ସ୍ମୃତିରେ 1972ରେ ଅମର ଯବାନ ଜ୍ୟୋତି ପ୍ରଜ୍ଜ୍ୱଳିତ ହୋଇଥିଲା ।

Leave a Reply