ସରକାରଙ୍କ ନାଲି ଆଖି ସତ୍ତ୍ଵେ ଜିଦରେ ଅଟଳ ଅମଲା, ରାଜସ୍ଵ ମନ୍ତ୍ରୀଙ୍କ ଧମକ ନେଇ ସଂଘର ପାଲଟା ଜବାବ

ନନ୍ଦିଘୋଷ ବ୍ୟୁରୋ : କାଲି କାର୍ଯ୍ୟରେ ଯୋଗଦିଅ, ନହେଲେ ହେବ କାର୍ଯ୍ୟାନୁଷ୍ଠାନ । ଥରେ ନୁହେଁ ଅମଲା ସଂଘ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜସ୍ବ ମନ୍ତ୍ରୀ ଦୁଇଥର ତାଗିଦ କଲେଣି । ହେଲେ ଜିଦରେ ଅଟଳ ଅମଲା ସଂଘ । ଦାବି ପୂରଣ ନ ହେଲେ ସରକାରଙ୍କ ନାଲିଆଖି ଆଗରେ ନଇଁବୁନି । ଆଜି ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି । ଡରିବୁନି କି ଦାବି ପୂରଣ ନ ହେବାଯାଏ କାର୍ଯ୍ୟରେ ଯୋଗଦେବୁନି । ୧୪ ଦିନ ହେଲାଣି ଅମଲା ସଂଘର ଆନ୍ଦୋଳନ । ଜିଲ୍ଲାଠୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ସରକାରୀ କାମ ଠପ୍‌ । ସରକାକ ଜିଦରେ ଅଟଳ । ଅମଲା ସଂଘ ସହ ଆଲୋଚନା କରୁନାହାନ୍ତି । ଅଚଳାବସ୍ଥା ଦୂର ହେବା ନେଇ କିଛି ରାସ୍ତା ବାହାରୁନି । ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଫଳରେ ଜିଲ୍ଲା, ବ୍ଳକ, ତହସିଲ, ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୌଣସି କାର୍ଯ୍ୟ ହୋଇପାରୁନି । ସରକାରଙ୍କ ପାଖରେ ସମାଧାନର ବାଟ ନାହିଁ ନା ଲୋକଙ୍କ ଅସୁବିଧା ସରକାରଙ୍କ ଆଖିକୁ ଦେଖାଯାଉନି । ଯଦି ଉଭୟ ପଟୁ ଜିଦରେ ଅଟଳ ରହିବେ, ତାହେଲେ ସମାଧାନ ବାହାରିବ କେମିତି?

ବାରମ୍ବାର ନାଲିଆଖି ଦେଖାଉଥିବା ରାଜସ୍ବ ମନ୍ତ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି ଅମଲା ସଂଘ । ସେପଟେ ଅମଲା ଆନ୍ଦୋଳନ ପଛରେ ବିରୋଧୀ ଉସୁକାଉଥିବା ଅଭିଯୋଗ କରିଥିଲେ ରାଜସ୍ବ ମନ୍ତ୍ରୀ । ଯାହାକୁ ନେଇ ରାଜସ୍ବ ମନ୍ତ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅପାରଗତା ଯୋଗୁ ସମସ୍ୟାର ସମାଧାନ ହୋଇପାରୁନାହିଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ବିଜେଡି ଅଭିଯୋଗ କରିଛି । ସେହିପରି କଂଗ୍ରେସ ଶସ୍ତା ମନ୍ତବ୍ୟରୁ ଦୂରରେ ରହିବାକୁ ରାଜସ୍ବ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛି ।ଏବର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିରୋଧ ଦଳ ବିଧାୟକ ଥିବାବେଳେ ଅମଲାଙ୍କ ଦାବିକୁ ସମର୍ଥନ ଜଣାଇ ପ୍ରେସ ବିବୃତି ଜାରି କରିଥିଲେ । ଏ କଥା କଣ ରାଜସ୍ବ ମନ୍ତ୍ରୀ ଜାଣିନାହାନ୍ତି କି ବୋଲି ଅମଲା ସଂଘ ପ୍ରଶ୍ନ ଉଠାଇଛି ।