ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଆମ ଓଡିଶା ନବୀନ ଓଡିଶାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ପଞ୍ଚମ ଦିନରେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।

ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୯୫ କୋଟି  ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଜୟଦେବ,  ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା ଓ ଚିଲିକା । ଏହିସବୁ ନିର୍ବାଚନମଣ୍ଡଳୀର ୧୦ଟି ବ୍ଲକ୍‌‌ରେ ୧୯୦ଟି  ଗ୍ରାମ ପଞ୍ଚାୟତରେ ୨୭୬୩ଟି ପ୍ରକଳ୍ପ ହେବ। ସେହିପରି ଜଗତସିଂହପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୯ କୋଟି ଟଙ୍କା  ମଂଜୁର ହୋଇଛି। ଏହିସବୁ ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ପାରାଦୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା ଓ ଜଗତସିଂହପୁର।  ଏଥିରେ ୮ଟି ବ୍ଲକ୍‌ର ୧୯୮ଟି   ଗ୍ରାମପଞ୍ଚାୟତରେ ୨୯୨୨ ଟି ପ୍ରକଳ୍ପ କରାଯିବ।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।  ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତାର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି । ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ।  ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking  ସୁବିଧା  ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମାଆ ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ।

ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।ଆଜିର କାର୍ଯ୍ୟକ୍ରମ ପାଇଁ ଖୋର୍ଦ୍ଧା ଜିଲ୍ଲାର ୭ଟି ଓ ଜଗତସିଂହପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି  କରିଛି ବୋଲି କହିଥିଲେ। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’କାର୍ଯ୍ୟକ୍ରମ ଜରିଆରେ ସବୁ ଗାଁରେ ରୂପାନ୍ତର ଆଣିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ସରକାରୀ ହସ୍‌ପିଟାଲ ଯେପରି ବେସରକାରୀ ହସ୍‌ପିଟାଲ ଭଳି ଆଧୁନିକ ଚିକିତ୍ସା ଯୋଗାଇ ଦେବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଆମ ହସ୍‌ପିଟାଲ ଯୋଜନା ଆରମ୍ଭ କରିଛନ୍ତି। ସ୍କୁଲ କଲେଜ ଆଦି ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ରୂପାନ୍ତର କାର୍ଯ୍ୟକ୍ରମ ଚାଲିଛି । ଗାଁ ଗାଁରେ ସବୁ କାମକୁ ଆମେ ଠିକ୍‌ ସମୟରେ ସ୍ବଚ୍ଛତାର ସହ କରି ରୂପାନ୍ତର ଆଣିବା ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ,  ସାଂସଦ ମାନସ ମଙ୍ଗରାଜ, ବିଧାୟକ ତଥା ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ବିଧାୟକ ରାଜେନ୍ଦ୍ର କୁମାର ସାହୁ, ବିଧାୟକ ଅରବିନ୍ଦ ଢାଲି, ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର , ବିଧାୟକ ସୁଶାନ୍ତ ରାଉତ, ବିଧାୟକ ରଘୁନନ୍ଦନ ଦାସ, ବିଧାୟକ ବିଜୟ ଶଂକର ଦାସ, ବିଧାୟକ ସମ୍ବିତ ରାଉତରାୟଙ୍କ ସମେତ  ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ ।

ସେମାନେ କହିଥିଲେ ଯେ ଗତ ୨୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ଓଡିଶାରେ ଚାଲିଛି ନିରନ୍ତର ବିକାଶ। ଆଜି ଓଡିଶାରେ ବିକାଶର ମାନଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି ବୋଲି ସେମାନେ କହିଥିଲେ । । 5T ସଚିବଙ୍କ ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି ବୋଲି ସେମାନେ କହିଥିଲେ।