କନ୍ଧମାଳ, ଅନୁଗୋଳ ଓ ଗଜପତି ଜିଲ୍ଲାରେ ’ଆମ ଓଡ଼ିଶା ନବୀନ ଓଡ଼ିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: କନ୍ଧମାଳ, ଅନୁଗୋଳ ଓ ଗଜପତି ଜିଲ୍ଲାରେ ଆରମ୍ଭ ହେଲା ’ଆମ ଓଡ଼ିଶା ନବୀନ ଓଡ଼ିଶା’ । ଏହି ତିନି ଜିଲ୍ଲାରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l କନ୍ଧମାଳ ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୨ଟି ବ୍ଲକରେ ୮୫ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୨ ହଜାର ୯୯ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିର୍ମାଣ ହେବ । ଏସବୁର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଉନ୍ନୟନ କାର୍ଯ୍ୟ ପାଇଁ କନ୍ଧମାଳ ଜିଲ୍ଲାର ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା  ମିଳିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି  ।

ଅନୁଗୁଳରେ ଆରମ୍ଭ ହୋଇଛି ଆମ ଓଡ଼ିଶା ନବୀନ ଓଡ଼ିଶା । ଜିଲ୍ଲାରେ ୨୭୯୬ଟି ପ୍ରକଳ୍ପ ପାଇଁ ୧୧୨ କୋଟି ୫୦ ଲକ୍ଷ ଟଙ୍କା ଅନୁମୋଦିତ ହୋଇଛି । ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯିବ  । ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳାଙ୍କ ମନ୍ଦିରର ଉନ୍ନତିକରଣ ପାଇଁ 15 କୋଟି 80 ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ବିଭିନ୍ନ ବ୍ଲକର ସ୍ୱାସ୍ଥ୍ୟ , ଗମନାଗମନ , ଜଳସେଚନ , ଦମକଳକେନ୍ଦ୍ର ସମେତ ଧର୍ମାନୁଷ୍ଠାନ ଗୁଡିକ ପାଇଁ ଅର୍ଥରାଶି ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମ ଓଡ଼ିଶା ନବୀନ ଓଡ଼ିଶା ଏକ ସଶକ୍ତ ଓଡିଶା ଗଠନ କରିବାରେ ସହାୟକ ହେବ  ।

ସେହିପରି ଗଜପତି ଜିଲ୍ଲାରେ ୬ଟି ବ୍ଲକରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।  ଜିଲ୍ଲାର ବିକାଶ ପାଇଁ ୧ ହଜାର ୬୬୨ଟି ପ୍ରକଳ୍ପ ନିର୍ମାଣ ହେବ  । ଏଥିପାଇଁ ମଞ୍ଜୁର ହୋଇଛି ୭୪ କୋଟି ୫୦ ଲକ୍ଷ ଟଙ୍କା  । ରାସ୍ତା ନିର୍ମାଣ ସହ ଜଳସେଚନ ପ୍ରକଳ୍ପ ଓ ଲୋକଙ୍କ ଆବଶ୍ୟକତା ଅନୁସାରେ ବିଭିନ୍ନ ପ୍ରକଳ୍ପର ନିର୍ମାଣ ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଗୁରୁତ୍ବ ଦିଆଯାଇଛି  । ଏହି କାର୍ଯ୍ୟକ୍ରମରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏ ଅନୁଦାନ ପ୍ରଦାନ କରାଯିବ  । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଜନସାଧାରଣ  ।