ପଞ୍ଚାୟତ ହେଉଛି ସଶକ୍ତ, ଗାଁ ହେଉଛି ବିକଶିତ ; ଓଡ଼ିଶା ଛୁଉଁଛି ସଫଳତାର ଦିଗବଳୟ

ମୟୂରଭଞ୍ଜ : ଗାଁରେ ବିକାଶର ନୂଆ ଯୁଗ । ପଞ୍ଚାୟତ ହେଉଛି ସଶକ୍ତ, ଗାଁ ହେଉଛି ବିକଶିତ । ଓଡ଼ିଶା ଛୁଉଁଛି ସଫଳତାର ଦିଗବଳୟ । ଆରମ୍ଭ ହୋଇଛି ଐତିହାସିକ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା । ଏହି କ୍ରମରେ ଆଜି ମୟୂରଭଞ୍ଜ, ବରଗଡ଼ ଓ ଦେବଗଡ଼ରେ ଶୁଭାରମ୍ଭ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ ।

ମୟୂରଭଞ୍ଜ ଜିଲ୍ଲାର ବଡସାହି, ବାଙ୍ଗିରିପୋଷୀ, ବାରିପଦା, ମୋରଡା ଓ ଉଦଳା ନିର୍ବାଚନମଣ୍ଡଳୀରେ ୧୧୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୩ ହଜାର ୮୧ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ଭେଟି ଦେବେ ମୁଖ୍ୟମନ୍ତ୍ରୀ । ସେହିପରି ବରଗଡ଼ ଜିଲ୍ଲାରେ ୧୨୬ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୩ ହଜାର ୧୩୫ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ହୋଇଛି ।

ଏହାସହ ଦେବଗଡ଼ ଜିଲ୍ଲାରେ ୩୫ କୋଟି ଟଙ୍କା ବ୍ୟୟରେ ୯୯୧ଟି ଉନ୍ନୟନ ମୂଳକ ପ୍ରକଳ୍ପକୁ ଭେଟି ଦେବେ ମୁଖ୍ୟମନ୍ତ୍ରୀ । ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ୬୭୯୪ଟି ପଞ୍ଚାୟରେ ୩ ହଜାର ୩୯୭ କୋଟି ଟଙ୍କା ଖର୍ଚ୍ଚ କରାଯିବ । ପ୍ରତି ପଞ୍ଚାୟତର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ଆମ ଓଡିଶା ନବୀନ ଓଡିଶା ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟସ୍ଥଳରୀ ସଂରକ୍ଷଣ କରିବ । ଡିଜିଟାଲ ଭିତ୍ତିଭୂମି, ବିଜ୍ଞାନକେନ୍ଦ୍ର, ଦକ୍ଷତା ବିକାଶ, ବ୍ୟାଙ୍କିଂ ଆଦି କ୍ଷେତ୍ରକୁ ବିକଶିତ କରି ସବୁ ବର୍ଗଙ୍କ ପାଇଁ ଅମାପ ସୁଯୋଗ ସୃଷ୍ଟି କରିବ । ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ଓ ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ବଳ କରିବ ।