ଆମ ଓଡ଼ିଶା, ନବୀନ ଓଡ଼ିଶାରେ ଯୋଡ଼ି ହେଲା ବଲାଙ୍ଗୀର

1 min read

ବଲାଙ୍ଗୀର: ବାଲେଶ୍ବର ପରେ ଆମ ଓଡ଼ିଶା ନବୀନ ଓଡ଼ିଶାରେ ସାମିଲ ହେଲା ବଲାଙ୍ଗୀର ଜିଲ୍ଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ର ଶୁଭାରମ୍ଭ । ଏଥିପାଇଁ ଏକ ସ୍ବତନ୍ତ୍ର କାର୍ଯକ୍ରମ ଜରିଆରେ ବଲାଙ୍ଗୀରର ସମସ୍ତ ୧୪ଟି ବ୍ଲକର ଜନ ପ୍ରତିନିଧି ଓ ଜନତାଙ୍କ ସହ ସିଧାସଳଖ ଯୋଡ଼ି ହୋଇଥିଲେ ମୁଖ୍ୟମନ୍ତ୍ରୀ ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପଣ୍ଡିଆନ ।

ବଲାଙ୍ଗୀର ଜିଲ୍ଲାକୁ ମିଳିଛି ୧୫୮ କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନ । ଜିଲ୍ଲାର ୩ ହଜାର ୯୧୧ଟି ଉନ୍ନୟନ ପ୍ରକଳ୍ପ ପାଇଁ ବିନିଯୋଗ ହେବ ଏହି ଅର୍ଥ ରାଶି । ହରିଶଙ୍କର ମନ୍ଦିରର ରୁପାନ୍ତରିକରଣ ପାଇଁ ୭ କୋଟି ଟଙ୍କା ଅତିରିକ୍ତ ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ତୁଷୁରା ତେଲାନଦୀରେ ହେବ ଦୁଇଟି ଲିଫ୍ଟ ଇରିଗେସନ ପ୍ରକଳ୍ପ । ବଲାଙ୍ଗୀର ସମଲେଶ୍ଵରୀ ମନ୍ଦିର ଉନ୍ନତି ପାଇଁ ୩ କୋଟି ୪୦ ଲକ୍ଷ ଟଙ୍କା ସହ ପାଟଣେଶ୍ବରୀ ମନ୍ଦିର ଓ ଗୋପାଳଜୀ ମନ୍ଦିରର ଉନ୍ନତି ପାଇଁ ଅର୍ଥରାଶି ଘୋଷଣା ହୋଇଛି ।

ସେହିପରି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଉନ୍ନତି ପାଇଁ ବି ଅର୍ଥ ଘୋଷଣା ହୋଇଛି । ଏହାସହ ବିଭିନ୍ନ ବ୍ଲକରେ ଧର୍ମପୀଠ, ଜଳସେଚନ, ଗ୍ରାମାଞ୍ଚଳ ରାସ୍ତା ପ୍ରଶସ୍ତିକରଣ, ବିଭିନ୍ନ ସ୍ଥାନରେ ନୂଆ ବସଷ୍ଟାଣ୍ଡ ନିର୍ମାଣ ସହ ଶିକ୍ଷା ଭିତ୍ତଭୂମିର ବିକାଶ ପାଇଁ ବି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଅର୍ଥରାଶି ଘୋଷଣା ହୋଇଛି । ଏନେଇ ସୂଚନା ଦେଇଛନ୍ତି ଆମ ଓଡ଼ିଶା, ନବୀନ ଓଡ଼ିଶା ଏବଂ 5T ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ।

ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୪ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।  ଏହାସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୭୮.୮୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥି ମଧ୍ୟରେ ରହିଛି ତୁସୁରାରେ ଏୟାର ଷ୍ଟ୍ରିପ୍,  ୨ଟି ମେଗା ଉଠା ଜଳସେଚନ ପ୍ରକଳ୍ପ, ସମଲେଇ ମନ୍ଦିର ସୌନ୍ଦର୍ଯ୍ୟକରଣ, ସ୍କୁଲ, କଲେଜ ରୂପାନ୍ତରଣ ।

ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୧ଟି ଶିକ୍ଷାନୁଷ୍ଠାନ ତଥା ଧାର୍ମିକ ଅନୁଷ୍ଠାନ ପାଇଁ ୧୪.୫୭ କୋଟି ଟଙ୍କା ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୯.୭୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମଧ୍ୟରେ ରହିଛି ହରିଶଙ୍କର ମନ୍ଦିର ଉନ୍ନତୀକରଣରେ କେତେକ ନୂତନ ପ୍ରକଳ୍ପ ଯଥା, ନୂଆ ପ୍ରବେଶ ପଥ, ଚେକ ଡ୍ୟାମ୍, କଲଭର୍ଟ, ପୋଲିସ ଆଉଟ ପୋଷ୍ଟ ଇତ୍ୟାଦି । ଖପ୍ରାଖୋଲରେ ଏକ ନୂଆ ସଡକ ନିର୍ମାଣ ଓ କେତେକ କଲେଜର ଉନ୍ନତିକରଣ ।

ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୩୮ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୫.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୧.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମଧ୍ୟରେ ରହିଛି ମା’ ସମଲେଶ୍ବରୀଙ୍କ ମନ୍ଦିର, ଗୋପାଳଜୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, କୋଶଳ କଳାମଣ୍ଡଳ ଗ୍ରାଉଣ୍ଡର ବିକାଶ, ଚାନ୍ଦିଲି ପାହାଡ ପର୍ଯ୍ୟଟନ ପ୍ରକଳ୍ପ ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହିତ ସ୍କୁଲ ଓ କଲେଜ, ଲୋୟର ସୁକତେଲ କଲୋନୀରେ ପ୍ରାଥମିକ ବିଦ୍ୟାଳୟର ରୂପାନ୍ତର, ବଲାଙ୍ଗୀର ସିଏନଆଇ ଚର୍ଚ୍ଚର ଉନ୍ନତୀକରଣ ।

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୧ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମଧ୍ୟରେ ରହିଛି ରାଣିପୁର ଝରିଆଲ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ୩ଟି ଡିଗ୍ରୀ କଲେଜର ଉନ୍ନତୀକରଣ । ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୩୨ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମଧ୍ୟରେ ରହିଛି ଯୋଗେଶ୍ୱର ମନ୍ଦିର, ସ୍ୱାଧୀନତା ସଂଗ୍ରାମୀ ମାଝୀ ମାନ୍ଧାତାଙ୍କ ସ୍ମୃତିରେ ଏକ ଐତିହ୍ୟ କେନ୍ଦ୍ର ସ୍ଥାପନ ଏବଂ ୩ଟି ଡିଗ୍ରୀ କଲେଜ ।