ନୂଆ ରୂପରେ ସମ୍ବଲପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ, ରୋଗୀଙ୍କୁ ମିଳୁଛି ଉନ୍ନତ ସ୍ବାସ୍ଥ୍ୟସେବା

ଭୁବନେଶ୍ବର: ଓଡ଼ିଶା ସ୍ବାସ୍ଥ୍ଯ ସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ରାଜ୍ଯ ସରକାରଙ୍କ ଆମ ହସ୍ପିଟାଲ । ଏହି କ୍ରମରେ ନୂଆ ରୂପ ପାଇଛି ସମ୍ବଲପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ । ଆନୁସଙ୍ଗିକ ବ୍ଯବସ୍ଥା ସହ ରୋଗୀ ସେବା ହୋଇଛି ସହଜ । ରାଜ୍ଯ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ଅତ୍ଯାଧୁନିକ ସୁବିଧା । ସଦର ମେଡିକାଲରେ ସମସ୍ତ ସୁବିଧା ମିଳୁଥିବାରୁ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଛନ୍ତି ଜିଲ୍ଲାବାସୀ ।

ଆମ ହସ୍ପିଟାଲ ମାଧ୍ୟମରେ ରୋଗୀଙ୍କୁ ମିଳୁଛି ଅତ୍ଯାଧୁନିକ ଚିକିତ୍ସା । ଉନ୍ନତ ଜ୍ଞାନକୌଶଳ ଓ ଅଭିଜ୍ଞ ଡାକ୍ତର ଟିମ ଦେଉଛନ୍ତି ସେବା । ରାଜ୍ଯ ସରକାରଙ୍କ ଉଦ୍ଯମରୁ ବଦଳୁଛି ସ୍ବାସ୍ଥ୍ଯା ସେବାର ପରିଭାଷା । ମୁଖ୍ଯମନ୍ତ୍ରୀ କହିଛନ୍ତି, ପ୍ରତିଟି ଜୀବନ ମୂଲ୍ଯବାନ । ଏଥିପାଇଁ ରାଜ୍ଯର ସବୁ ଡାକ୍ତରଖାନାରେ ରୋଗୀଙ୍କୁ ଯୋଗାଇ ଦିଆଯାଉଛି ସମସ୍ତ ସୁବିଧା । ବଦଳୁଛି ହସ୍ପିଟାଲର ରୂପରେଖ । ଏହି କ୍ରମରେ ସମ୍ବଲପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ବଦଳିଛି ଚିତ୍ର । ଚାରି ମହଲା ବିଶିଷ୍ଟ ମାଆ ଓ ଶିଶୁ ସ୍ବାସ୍ଥ୍ୟ ବିଭାଗଠୁ ଆରମ୍ଭ କରି ସମସ୍ତ ବିଭାଗରେ ଉନ୍ନତି ହୋଇଛି । ଔଷଧ ଠାରୁ ଆରମ୍ଭ କରି ସମସ୍ତ ସେବା ମାଗଣାରେ ପାଇ ଉପକୃତ ହେଉଛନ୍ତି ରୋଗୀ ।

ଦିନ ଥିଲା ଏଠାକୁ ରୋଗୀଟିଏ ଆସିଲେ ପରୀକ୍ଷା ଠାରୁ ଆରମ୍ଭ କରି ଚିକିତ୍ସା ପାଇଁ ଲଗାଇବାକୁ ପଡୁଥିଲା ଲମ୍ବା ଲାଇନ । ଏପରିକି କିଛି ପରୀକ୍ଷା ପାଇଁ ବାହାର କ୍ଲିନିକ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ହେଲେ ଆମ ହସ୍ପିଟାଲରେ ଏବେ ସବୁ ସେବା ଗୋଟିଏ ସ୍ଥାନରେ ମିଳୁଛି । ଏପରିକି ବ୍ଯୟବହୁଳ କିଡନୀ ଡାଇଲିସିସ୍ ପାଇଁ ଆଉ ବାହାରକୁ ଯିବାକୁ ପଡ଼ୁନି । ଉଭୟ ଅନଲାଇନ ଓ ଅଫଲାଇନରେ ମିଳୁଛି ସମସ୍ତ ସେବା । ଏଥିପାଇଁ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଛନ୍ତି ଜିଲ୍ଲାବାସୀ ।