ଆମ ହସ୍ପିଟାଲ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ପାଇଁ ସମୟ ସାରଣୀ ନିର୍ଦ୍ଧାରଣ କଲେ ରାଜ୍ୟ ସରକାର
1 min readଭୁବନେଶ୍ୱର: ସାର୍ବଜନୀନ ସ୍ୱାସ୍ଥ୍ୟସେବାରେ ଅଧିକ ଗୁଣାତ୍ମକ ବିକାଶ ପାଇଁ ରାଜ୍ୟସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆମ ହସ୍ପିଟାଲ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଛି । ପ୍ରକଳ୍ପ ପୂର୍ଣାଙ୍ଗ ପାଇଁ ରାଜ୍ୟସରକାରଙ୍କ ତରଫରୁ ସମୟ ସାରଣୀ ଧାର୍ଯ୍ୟକରାଯିବା ସହ ପ୍ରତି ଜିଲ୍ଲାକୁ ସେମାନଙ୍କ ପ୍ରକଳ୍ପ ଆକଳନ ଅନୁସାରେ ଆବଶ୍ୟକୀୟ ପାଣ୍ଠି ଯୋଗାଇ ଦିଆଯାଇଛି । ଏଥିପାଇଁ ପୂର୍ତ୍ତିବିଭାଗ ପ୍ରମୁଖ ଶାସନ ସଚିବ ବୀର୍ ବିକ୍ରମ ଯାଦବ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତଙ୍କର ଯୁଗ୍ମ ସ୍ୱାକ୍ଷରିତ ନିର୍ଦ୍ଦେଶନାମା ଜିଲ୍ଲାପାଳମାନଙ୍କୁ ପଠାଯାଇଛି ।
ଚଳିତ ବର୍ଷ ମେ ୧୫ ତାରିଖ ସୁଦ୍ଦା ଟେଣ୍ଡର ପକ୍ରିୟା ଶେଷକରି କ୍ଷେତ୍ରସ୍ତରୀୟ କାର୍ଯ୍ୟାରମ୍ଭ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଅକ୍ଟୋବର ଶେଷ ସୁଦ୍ଧା ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବାକୁ କୁହାଯାଇଛି । ନିର୍ଦ୍ଦାରିତ ମାନକ ଅନୁସାରେ ଗୁଣାତ୍ମକମାନ ବଜାୟ ରଖି ନିର୍ମାଣ କାର୍ଯ୍ୟ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାର ୧୪୭ ଟି ହସ୍ପିଟାଲ୍ 5-ଟି ଢାଞ୍ଚାରେ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ କରାଯାଇଛି। ଏହି ପ୍ରକଳ୍ପର ତ୍ୱରିତ କାର୍ଯ୍ୟାନ୍ୱୟନ ନିମନ୍ତେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇଛି। ପ୍ରକଳ୍ପର ଅନୁମୋଦନ, କାର୍ଯ୍ୟାନ୍ୱୟନ ଓ ତଦାରଖ ନିମନ୍ତେ ଜିଲ୍ଲାସ୍ତରୀୟ କମିଟିକୁ ପୂର୍ଣ୍ଣକ୍ଷମତା ପ୍ରଦାନ କରାଯାଇଛି ।