spot_img

Latest Posts

ରାଜଧାନୀରେ ପୁଣି ଆମ ବସ୍ ଦୁର୍ଘଟଣା: ତାତିଲେ ଲୋକେ, ଭାଙ୍ଗିଲେ ୩ଟି ବସ୍

ରାଜଧାନୀରେ ପୁଣି ଆମ ବସ୍ ଦୁର୍ଘଟଣା: ତାତିଲେ ଲୋକେ, ଭାଙ୍ଗିଲେ ୩ଟି ବସ୍

ନନ୍ଦିଘୋଷ ବ୍ୟୁରୋ: ପୁଣି ଚାପିଦେଲା ଆମ ବସ୍ । ଭୁବନେଶ୍ବର ଜନପଥରେ ମର୍ମନ୍ତୁଦ ଦୁର୍ଘଟଣା । ଲୋକଙ୍କ ଭଙ୍ଗାରୁଜାରେ ଭାଙ୍ଗିଲା ୩ଟି ବସ୍। ସେପଟେ ଭଙ୍ଗାରୁଜା କରିଥିବା ଅଭିଯୋଗରେ ଜଣଙ୍କୁ ଅଟକ ରଖିଛି ପୋଲିସ । ସିସିଟିଭି ଆଧାରରେ ଚାଲିଛି ତଦନ୍ତ ।

ଆତଙ୍କ ଖେଳାଇ ଚାଲିଛି ଆମ ବସ । କେଉଁଠି ଦୁର୍ଘଟଣା ହେଉଛି, ତ ଆଉ କେଉଁଠି କାହାକୁ ଧକ୍କା ଦେଉଛି । ବଢୁଥିବା ସହର ଓ ବର୍ଦ୍ଧିତ ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିଲା ଆମ ବସ୍ ସେବା । କିନ୍ତୁ ଏହି ଆମ ବସ୍ ଏବେ ଯମ ବସରେ ପରିଣତ ହେଲାଣି । ବର୍ଷକରେ ନେଲାଣି ୧୨ ଜୀବନ । ୫୦ରୁ ଅଧିକ ଲୋକଙ୍କୁ ପଙ୍ଗୁ କଲାଣି । କିଛି ଦିନ ତଳେ ଭୁବନେଶ୍ବର ରୂପାଲି ଛକରେ ମୁଣ୍ଡ ଗଡାଇଥିବା କିଲର ବସ୍ ଆଜି ପୁଣି ଘଟାଇଛି ଦୁର୍ଘଟଣା । ଜନପଥରେ ଦୁଇ ଚକିଆ ଉପରେ ଚଢ଼ି ଯାଇଛି ଏହି ରାକ୍ଷସ ରୂପୀ ବସ । ଘଟଣା ଘଟିବା ପରେ ତୀବ୍ର ହୋଇଛି ଲୋକଙ୍କ ଆକ୍ରୋଶ । ୩ଟି ବସ୍ ଭାଙ୍ଗି ଚୁରମାର କରି ଦେଇଛନ୍ତି ସ୍ଥାନୀୟ ଲୋକେ । ଉତ୍ତ୍ୟକ୍ତ ଲୋକଙ୍କୁ ହଟାଇବା ପାଇଁ ପୋଲିସ ମୃଦୁ ଲାଠି ଚାଳନା କରିଛି । ଯେଉଁମାନେ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି  ଜଗମୋହନ ମୀନା ।

ପୂର୍ବରୁ ଦୁର୍ଘଟଣାର କାରଣ ଖୋଜିବାକୁ ଯାଇ ପରିବହନ କମିଶନର ଓ ପୋଲିସ କମିଶନର ନିଜେ ସରପ୍ରାଇଜ ଭିଜିଟ କରିଥିଲେ । ବସ୍ ଡିପୋରେ କରିଥିଲେ ଚଢ଼ାଉ । ବ୍ରେଥ ଆନାଲାଇଜର ସାହାଯ୍ୟରେ ମଦୁଆ ଡ୍ରାଇଭରଙ୍କ ଟେଷ୍ଟ ହୋଇଛି । ସେପଟେ ମୃତକଙ୍କୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା କରିଛି କ୍ରୁଟ । କିଛି ଡ୍ରାଇଭର ମଦ ପିଇ ବେପରୁଆ ଭାବେ ଗାଡି ଚଳାଉଥିବା ନେଇ ଆଉ କିଛି ଡ୍ରାଇଭର ସ୍ୱୀକାର କରିଛନ୍ତି । ସେହିପରି ସୀମିତ ସମୟ ବା ଧାର୍ଯ୍ୟ ସମୟ ମଧ୍ୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ପଡୁଛି । ତେଣୁ ସ୍ପିଡ୍ ଯିବା ଚକ୍କରରେ ଦୁର୍ଘଟଣା ଘଟୁଛି । ଏଣୁ ଗୋଟିଏ ଟ୍ରିପ ପରେ ଡ୍ରାଇଭରଙ୍କୁ ବିଶ୍ରାମର ଆବଶ୍ୟକତା ଥିବା ମତ ପ୍ରକାଶ ପାଇଛି । ସଡକ ସୁରକ୍ଷା ମାସ ଚାଲିଥିବା ବେଳେ, ଦୁର୍ଘଟଣା କିପରି ରୋକାଯାଇପାରିବ ତାହା ବର୍ତ୍ତମାନ ସୃଷ୍ଟି କରିଛି ବଡ଼ ଚ୍ୟାଲେଞ୍ଜ ।

ମାତ୍ରାଧିକ ଫାଇନ କାଟିବାକୁ ନେଇ ଲୋକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ଅନ୍ୟପଟେ ବାରମ୍ବାର ଦୁର୍ଘଟଣା ପରେ ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ ଲୋକଙ୍କ ଭରସା ତୁଟୁବାରେ ଲାଗିଛି ।

Latest Posts

Don't Miss