ବ୍ୟାଙ୍କ ସେବାରୁ ବଞ୍ଚିତ ପଞ୍ଚାୟତରେ ଖୋଲିବ ‘ଆମ ବ୍ୟାଙ୍କ’, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ଭୁବନେଶ୍ୱର: ଏଣିକି ହାତପାଆନ୍ତାରେ ମିଳିବ ବ୍ୟାଙ୍କ ସେବା। ରାଜ୍ୟରେ ବ୍ୟାଙ୍କ ସେବାରୁ ବଞ୍ଚିତ ପଞ୍ଚାୟତରେ ଖୋଲିବ ଆମ ବ୍ୟାଙ୍କ। ପ୍ରତି ଗ୍ରାମପଞ୍ଚାୟତରେ ବ୍ୟାଙ୍କିଂ ସେବା ଯୋଗାଇ ଦେବାକୁ ଆଜି ଐତିହାସିକ ଆମ ବ୍ୟାଙ୍କ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ଅର୍ଥ ଓ ପଞ୍ଚାୟତିରାଜ ବିଭାଗର ଉଦ୍ୟମରେ ଆମ ବ୍ୟାଙ୍କ ସେବା ମିଳିବ।

ବ୍ୟାଙ୍କ ନଥିବା ୪ ହଜାର ୩୭୩ ପଞ୍ଚାୟତରେ ଖୋଲିବ CSP PLUS ବ୍ୟାଙ୍କିଂ ଆଉଟଲେଟ୍। ଏଥିରେ ୧୫ଗୋଟି ବ୍ୟାଙ୍କିଂ ସେବା ମିଳିପାରିବ। ଏଥିପାଇଁ ରାଜ୍ୟ ସରକାର ୫ ବର୍ଷ ପର୍ଯ୍ୟନ୍ତ ବିନା ମୂଲ୍ୟରେ ବ୍ୟାଙ୍କ ଗୁଡ଼ିକୁ ଘର ଯୋଗାଇ ଦେବେ। ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଓ ଏବଂ ୩ ବର୍ଷ ପାଇଁ ଆବର୍ତ୍ତୀ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ଏହାଦ୍ବାରା ଗ୍ରାମାଞ୍ଚଳର ଲୋକମାନେ ବିଶେଷ ଉପକୃତ ହେବେ। ଏହି କାର୍ଯ୍ୟକ୍ରମରେ ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ ଯୋଡି ହୋଇଛନ୍ତି। ଏମାନେ ହେଲେ – State Bank of India, Punjab National Bank, Union Bank of India, UCO Bank, Bank of India ଓ Bank of Baroda।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘‘ଆମ ବ୍ୟାଙ୍କ ମଡେଲ୍ ସାରା ଦେଶରେ ପ୍ରଥମ। ଏହି ବ୍ୟାଙ୍କିଂ ମଡେଲ ସାରା ଦେଶ ପାଇଁ ଏକ ରୋଲ୍ ମଡେଲ ହେବ। ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନରେ ସହାୟ ହେବ’’। ଏହି ଯୋଜନା ‘ଆମ ବ୍ୟାଙ୍କ’ ଭାବରେ ଲୋକଙ୍କୁ ସେବା ଯୋଗାଇଦେବ । ଏଥିପାଇଁ ରାଜ୍ୟ ସରକାର ଏହିସବୁ ପଞ୍ଚାୟତରେ ବ୍ୟାଙ୍କ ମାନଙ୍କୁ ଆସନ୍ତା ୫ ବର୍ଷ ପାଇଁ ଘର (Banking space), ବିଦ୍ୟୁତ ବ୍ୟବସ୍ଥା, ଇଣ୍ଟରନେଟ ଯୋଗାଯୋଗ ଏବଂ ଅନ୍ୟାନ୍ୟ ଆନୁସଂଗିକ ସୁବିଧା ଯୋଗାଇ ଦେବେ ।

ସେହିପରି 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ କହିଥିଲେ, ବ୍ୟାଙ୍କ ସୁବିଧା ନ ଥିବା ପଞ୍ଚାୟତ ଗୁଡିକୁ ବ୍ୟାଙ୍କ ସେବା ଆଣିବା ପାଇଁ ଯେଉଁ ଗତିରେ କାମ ଚାଲିଛି, ସେହି ଗତିରେ କାମ ଚାଲିଲେ, ସବୁ ପଞ୍ଚାୟତରେ ପହଞ୍ଚିବା ପାଇଁ ୩୦ ବର୍ଷ ଲାଗିଥାନ୍ତା। କିନ୍ତୁ ଲୋକଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ଏହା ମାତ୍ର ୬ ମାସ ମଧ୍ୟରେ ସମ୍ଭବ ହୋଇପାରୁଛି।

ଏଥିପାଇଁ ରାଜ୍ୟ ସରକାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି ଏବଂ ଗର୍ଭବତୀ ମହିଳା ଦୁଆର ମୁହଁରେ ସେବା ପାଇରିବେ । ୨୦୨୪ ଶେଷ ସୁ୍ଦ୍ଧା ସବୁ ପଞ୍ଚାୟତରେ ବ୍ୟାଙ୍କ ସେବା ପହଞ୍ଚାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦ ପ୍ରତିଶତ ପଞ୍ଚାୟତରେ ବ୍ୟାଙ୍କ ଖୋଲାଯିବ । ଏଥିପାଇଁ ୬ଟି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଏମଓୟୁ ସ୍ବାକ୍ଷର କରିଛନ୍ତି ରାଜ୍ୟ ସରକାର । ବ୍ୟାଙ୍କ ପାଇଁ ସବୁ ଭିତ୍ତିଭୂମି ଯୋଗାଇଦେବେ ରାଜ୍ୟ ସରକାର । ଗତ ଅଗଷ୍ଟ ୧୧ତାରିଖରେ ବସିଥିବା କ୍ୟାବିନେଟ ବୈଠକରେ ସିଏସପି ପ୍ଲସ ବ୍ୟାଙ୍କିଂ ଆଉଟଲେଟ୍ ଖୋଲିବା ନେଇ ମଞ୍ଜୁରୀ ମିଳିଥିଲା ।