ସନ୍ଧ୍ୟା ଥିଏଟର ଦଳାଚକଟା : ଅଲ୍ଲୁଙ୍କ ଜାମିନ ଆବେଦନର ଆଜି ଶୁଣାଣି
1 min readନନ୍ଦିଘୋଷ ବ୍ୟୁରୋ: ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ମାମଲା । ପୁଷ୍ପା-୨ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଜାମିନ ଆବେଦନର ଆଜି ଶୁଣାଣି କରିବେ ହାଇଦ୍ରାବାଦର ଏକ କୋର୍ଟ । ଗତ ଡିସେମ୍ବର ୨୯ରେ ମାମଲାର ଶୁଣାଣି କରି ଜାନୁଆରୀ ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ଲାଗି କୋର୍ଟ ନିଷ୍ପତ୍ତି ନେଇଥିଲେ । ଉଭୟ ପୋଲିସ ଓ ଅଲ୍ଲୁ ଅର୍ଜୁନଙ୍କ ପିଟିସନର ଶୁଣାଣି କରିବେ ଦ୍ବିତୀୟ ଅତିରିକ୍ତ ମେଟ୍ରୋପଲିଟାନ ଦୌରଜଜ । ଦଳାଚକଟା ମାମଲାରେ ଅଭିଯୁକ୍ତ ନମ୍ବର ୧୧ ହେଉଛନ୍ତି ଅଲ୍ଲୁ ଅର୍ଜୁନ । ତାଙ୍କ ପକ୍ଷରୁ ଓକିଲ ନିୟମିତ ଜାମିନ ଲାଗି ପିଟିସନ ଦାୟର କରିଛନ୍ତି ।
ଗତ ଡିସେମ୍ବର ୨୭ରେ ନାମପଲ୍ଲୀ କୋର୍ଟ ନିକଟରେ ଭର୍ଚୁଆଲରେ ହାଜର ହୋଇଥିଲେ । ଅଲ୍ଲୁ ଅର୍ଜୁନ ଟିମ ପକ୍ଷରୁ ବେଲ ପିଟିସନ ଦାୟର ହୋଇଥିବାବେଳେ ପୋଲିସ ପକ୍ଷରୁ ବେଲ୍ ବିରୋଧରେ କାଉଣ୍ଟର ପିଟିସନ ଦାୟର ହୋଇଛି । ଗତ ଡିସେମ୍ବର ୪ରେ ପୁଷ୍ପା-୨ର ପ୍ରିମିୟର ସନ୍ଧ୍ଯା ଥିଏଟରରେ ହୋଇଥିବାବେଳେ ଦଳାଚକଟା ଘଟିବାରୁ ପ୍ରାଣ ହରାଇଥିଲେ ୩୫ ବର୍ଷ ବୟସ୍କା ମହିଳା । ଆହତ ହୋଇଥିଲେ ତାଙ୍କର ୮ ବର୍ଷ ସନ୍ତାନ । ଦଳାଚକଟା ଘଟଣା ପରେ ଚକ୍କଡପଲ୍ଲୀ ପୋଲିସ ଅଲ୍ଲୁ ଅର୍ଜୁନ, ସନ୍ଧ୍ୟା ଥିଏଟରର ମ୍ଯାନେଜମେଣ୍ଟ ବିରୋଧରେ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଗତ ଡିସେମ୍ବର ୧୩ରେ ଗିରଫ ହୋଇଥିଲେ ଅଲୁ । ତେଲଙ୍ଗାନା ହାଇକୋର୍ଟଙ୍କ ପକ୍ଷରୁ ତାଙ୍କୁ ମିଳିଥିଲା ଅନ୍ତରୀଣ ଜାମିନ ।