ବାବା ବେଶରେ ୩ କୋଟି ଟଙ୍କାର ଚୂନ ଲଗାଇଲେ

ଭୁବନେଶ୍ୱର: ଓଟିଡିସି ନାଁରେ ୩ କୋଟି ଠକେଇ ମାମଲାରେ ଖୋଲୁଛି ଆତ୍ମଘୋଷିତ ବାବାଙ୍କ ଠକେଇର ଫର୍ଦ୍ଦ । ଗିରଫ ପରେ ବିଜୟାନନ୍ଦଙ୍କ ଗୁମର ଖୋଲିବାରେ ଲାଗିଛି । ଭାଇରାଲ ହେଉଛି ବାବା ବିଜୟାନନ୍ଦ ଚୌଧୁରୀଙ୍କ ଫଟୋ । ମୁଣ୍ଡରେ ମୁକୁଟ, ମଥାରେ ସିନ୍ଦୁର ଟିକା ଓ ଗଳାରେ ଫୁଲ ମାଳ ପକାଇ ଲୋକଙ୍କୁ ଠକୁଥିଲେ ବିଜୟାନନ୍ଦ । କେତେବେଳେ ଗେରୁଆ ଓ କେତେବେଳେ ଧଳାବସ୍ତ୍ର ପିନ୍ଧି ନିଜର ରୂପ ବଦଳାଉଥିଲେ । ତାଙ୍କର ଏପରି ଅନେକ ଛଦ୍ମବେଶ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚୌଦ୍ୱାରରୁ ଢେଙ୍କାନାଳ ଯ଼ିବା ରାସ୍ତାରେ ରହିଛି ଠକ ବାବାଙ୍କ ଆଶ୍ରମ । ହେଲେ କଟକ ସେକ୍ଟର ୧୦ର ବିଡ଼ାନାସି ଅଞ୍ଚଳରେ ରହୁଥିଲେ ବାବା । ତନ୍ତ୍ରମନ୍ତ୍ର ଆଳରେ କଣ୍ଟାକ୍ଟରଙ୍କ ନିକଟରୁ ଜାଲ୍ ଦସ୍ତଖତ କରାଇ ଚୂନ ଲଗାଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ବାବାଙ୍କୁ ରିମାଣ୍ଡରେ ଆଣି ଇଓଡବ୍ଲୁ ପଚରାଉଚରା କରୁଥିବା ସୂଚନା ମିଳିଛି । ପୂର୍ବରୁ ନିଜକୁ ଓଟିଡିସିର ଚେୟାରମ୍ୟନର ପରିଚୟ ଦେଇ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ଧନୁର୍ଦ୍ଧର ଚମ୍ପତିରାୟଙ୍କ ନିକଟରୁ ୩କୋଟି ଟଙ୍କା ଚୂନ ଲାଗାଇଥିବା ଅଭିଯୋଗ ଆସିଥିଲା । ଓଟିଡିସି ନାଁରେ ୩କୋଟି ଠକେଇ ଅଭିଯୋଗରେ ଗତ ରବିବାର ବାବା ବିଜୟାନନ୍ଦ ଚୌଧୁରୀ ଓରଫ ବିଜୟାନନ୍ଦ ମହାରାଜଙ୍କୁ ଗିରଫ କରିଛି ଇଓଡବ୍ଳ୍ୟୁ । ଠକେଇରେ ଶିକାର ହୋଇଥିବା ବ୍ୟକ୍ତି ବିଜୟାନନ୍ଦଙ୍କ ବିରୋଧରେ କ୍ରାଇମ୍‌ବ୍ରାଞ୍ଚର ଇଓଡବ୍ଳ୍ୟୁ ନିକଟରେ ଅଭିଯୋଗ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ତାଲିବାନକୁ ଡରିଗଲେ ବାଇଡନ୍,ଅଗଷ୍ଟ ୩୧ରେ ହିଁ କାବୁଲ ଛାଡ଼ିବେ ଆମେରିକା ସେନା

 

Leave a Reply