ବାଲେଶ୍ୱର ଜିଲ୍ଲା ହସ୍ପିଟାଲରୁ ନବଜାତ ଶିଶୁପୁତ୍ର ଚୋରି ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ହସ୍ପିଟାଲ ମା ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆଜି ସକାଳେ ପୁଣି ଏକ ନବଜାତକ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବାଲିଆପାଳ ଥାନା କୁଲାଚଡ଼ ଗାଁର ପୂର୍ଣ୍ଣଚନ୍ଦ୍ର ଦଣ୍ଡପାଟଙ୍କ ପତ୍ନୀ ଅନିତା ଗତକାଲି ବିଳମ୍ବିତ ରାତିରେ ପ୍ରସବ ପାଇଁ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସାଙ୍ଗରେ ଅନିତାଙ୍କ ଶାଶୁ ଓ ସ୍ଥାନୀୟ ଆଶାକର୍ମୀ ସଂଧ୍ୟାରଣୀ ଜେନା ମଧ୍ୟ ଆସିଥିଲେ । ତେବେ ରାତି ୧୨ଟା ବେଳେ ତାଙ୍କର ଶିଶୁପୁତ୍ର ଜନ୍ମ ହୋଇଥିଲା। ହେଲେ ଆଜି ସକାଳେ ସେଠାରେ ଜଣେ ଅଜଣା ମହିଳା ପହଞ୍ଚି ତାଙ୍କ ପିଲାକୁ ଧରିଥିଲେ। ପରେ ଆଶାକର୍ମୀ ସନ୍ଧ୍ୟାରାଣୀଙ୍କ ସହ ବୁଲାବୁଲି କରି କଥାବାର୍ତ୍ତା କରିଥିଲେ ।  ଆଶାକର୍ମୀ ଏବଂ ଅନିତା ଶାଶୁ ୱାର୍ଡରେ ନଥିବା ବେଳେ ଅଜଣା ମହିଳା ଜଣକ ସେଠାକୁ ଯାଇ ପିଲାଟିକୁ ଡାକ୍ତର ପାଖକୁ ନେବାକୁ କହି ବେଡରୁ ନେଇଯାଇଥିଲା। ହେଲେ ପରେ ଆଉ ଶିଶୁଟି ଫେରିନଥିଲା। ଏ ନେଇ ହସ୍ପିଟାଲ ଫାଣ୍ଡିରେ ଅନିତାଙ୍କ ଶାଶୁଘର ଲୋକେ ପିଲା ଚୋରି ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ପୋଲିସ ହସ୍ପିଟାଲ ସିସି କ୍ୟାମେରା ଯାଞ୍ଚ କରି ଅଜଣା ମହିଳାଙ୍କ ଗତିବିଧିର ଭିଡିଓ ଜବତ କରିଥିବା ବେଳେ, ଆଶାକର୍ମୀ ଓ ହସ୍ପିଟାଲର ସୁରକ୍ଷାକର୍ମୀଙ୍କୁ ଅଟକ ରଖି ପଚରାଉଚରା କରୁଛି।