ସରକାରଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ଠିକା ସଂସ୍ଥା, ବାଟମାରଣା ହେଉଛି କୋଟି କୋଟି ଟଙ୍କା
ନନ୍ଦିଘୋଷ ବ୍ୟୁରୋ: ଲୋକଙ୍କ ସରକାରରେ ସରକାରୀ ଆଦେଶକୁ ଅଣଦେଖା । ସରକାରୀ ବାବୁଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ଠିକା ସଂସ୍ଥା । ବାଟମାରଣା ହେଉଛି କୋଟି କୋଟି ଟଙ୍କାର ଅନୁଦାନ । ପୁରୀ ଜିଲ୍ଲା ନିମାପଡା – ବଳଙ୍ଗା ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ରାସ୍ତା ନିର୍ମାଣରେ ପୂର୍ବ ସରକାରରେ କଳା ତାଲିକାଭୁକ୍ତ ହୋଇଥିବା ଠିକା ସଂସ୍ଥା କାମ କରିବାକୁ ନେଇ ଉଠିଲା ପ୍ରଶ୍ନ ।
ନିମାପଡା – ବଳଙ୍ଗା ରାସ୍ତାରେ ପୁରୁଣା ପିଚୁକୁ ଆଡେଇ କାମ କରୁଛନ୍ତି ଠିକାଦାର । ଅଭିଯୋଗ କଲେ ନାଲିଆଖି ଦେଖାଉଛି ଠିକାସଂସ୍ଥା । ତଦାରଖ କରିବାକୁ ଯାଇଥିବା ସରକାରୀ ଯନ୍ତ୍ରୀଙ୍କୁ ବି ଛାଡିଲାନି ଠିକା ସଂସ୍ଥା । ନିମାପଡା ଭାୟା ଗୋପାଳପୁର ଦେଇ ବାୟାବାର ବଳଙ୍ଗା ପର୍ଯ୍ୟନ୍ତ ୧୪ କିଲୋମିଟରରୁ ଅଧିକ ପକ୍କା ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୩୬ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ବ୍ୟୟ ବରାଦ ହୋଇଥିଲା । ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀଙ୍କ ତତ୍ତ୍ବାବଧାନରେ କାମ ଆରମ୍ଭ ବି ହୋଇଛି । ହେଲେ କାମ ଆରମ୍ଭରୁ ସଂପୃକ୍ତ ଠିକା ସଂସ୍ଥା ଦୁର୍ନୀତି କରି ଚାଲିଛି । କଚେରୀଠାରୁ ନିମାପଡା ଛକ ଯାଏଁ ରାସ୍ତା ପାର୍ଶ୍ଵରେ ଅନେକ ଲୋକେ ବସବାସ କରୁଥିବାରୁ ବର୍ଷା ଦିନକୁ ନଜରରେ ରଖି ରାସ୍ତାକୁ ୧ ଫୁଟ ଯାଏଁ ଖୋଳାଯିବାର ଥିଲା । ସେଥିରେ ବାଲି, କଂକ୍ରିଟ ଓ WMM ଦିଆଯାଇ ରାସ୍ତା ନିର୍ମାଣ ହୋଇଥାନ୍ତା । ହେଲେ ଠିକା ସଂସ୍ଥା ଯନ୍ତ୍ରୀଙ୍କ ଆଦେଶକୁ ଅଣଦେଖା କରୁଥିବା ଦେଖିବାକୁ ମିଳିଛି ।
ସବୁଠୁ ବଡ କଥା ହେଲା ପୂର୍ବ ସରକାରରେ କଳା ତାଲିକା ଭୁକ୍ତ ହୋଇଥିବା ଠିକା ସଂସ୍ଥା ଚଞ୍ଚକତା କରି ନିର୍ମାଣ କାମକୁ ହାତେଇଛି । ଟିକେ ନଜର ପକାନ୍ତୁ ଏହି ନୋଟିସ ଉପରେ । ରାସ୍ତା ନିର୍ମାଣ କାର୍ଯ୍ୟାଦେଶ ବଳଭଦ୍ର ଏଜେନ୍ସିକୁ ମିଳିଛି । କିନ୍ତୁ ପ୍ରକୃତରେ କାମ କରୁଛି ARSS ସଂସ୍ଥା । ଏଠି ପ୍ରଶ୍ନ ଉଠୁଛି, କିଏ କଳା ତାଲିକାଭୁକ୍ତ ହୋଇଥିବା ଠିକା ସଂସ୍ଥା ହାତରେ ଟେକି ଦେଇଛି କୋଟି କୋଟି ଟଙ୍କାର ଟେଣ୍ଡର ? ନା ଜାଣି ଶୁଣି ସରକାରୀ ଯୋଜନାକୁ କରାଯାଉଛି ବାଟବଣା ? ଅନ୍ୟପଟେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରା ନଗଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜେଡି ଚେତାଇ ଦେଇଛି ।

