ନୂଆପଡ଼ାରେ ଭୋଟ ଗଡ଼ବଡ଼ି: ବିଜେଡିକୁ ଭୋଟ ଦେଲେ ବିଜେପିକୁ ଯାଉଛି !
ନନ୍ଦିଘୋଷ ବ୍ୟୁରୋ: ନୂଆପଡ଼ାରେ ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ତେବେ ବିଭିନ୍ନ ସ୍ଥାନରୁ ମତଦାନରେ ବିଭ୍ରାଟ ହେଉଥିବା ଦେଖିବାକୁ ମିଳୁଛି । କେଉଁଠି ବିଜେଡିକୁ ଭୋଟ ଦେଲେ ବିଜେପିକୁ ଯାଉଥିବା ଅଭିଯୋଗ ହେଉଛି । କେଉଁଠି ଭୋଟ ଦେବାକୁ ଆସି ମହିଳା ଜାଣୁଛନ୍ତି ତାଙ୍କ ଭୋଟ୍ ହୋଇସାରିଛି । ସେହିପରି କେଉଁଠୁ ଇଭିଏମରେ ଚଞ୍ଚକତା କରାଯାଇଥିବା ସନ୍ଦେହରେ ବୁଥରେ ଉତ୍ତେଜନା ଦେଖିବାକୁ ମିଳିଛି ।
ଯାହାକୁ ଭୋଟ ଦେଲେ ବିଜେପିକୁ ଯାଉଛି !
ନୂଆପଡ଼ା ଭାଲୁକୋଣା ପଞ୍ଚାୟତର ୨୫୦ ନମ୍ବର ବୁଥରୁ ଆସିଛି ସାଙ୍ଘାତିକ ଅଭିଯୋଗ । ଏଠାରେ ବିଜେଡି କି କଂଗ୍ରେସକୁ ଭୋଟ୍ ଦେଲେ ବିଜେପକୁ ଯାଉଥିବା ଅଭିଯୋଗ ହୋଇଛି । ଏପରିକି କଂଗ୍ରେସକୁ ଭୋଟ୍ ଦେବା ବେଳେ ବିଜେପି ପ୍ରାର୍ଥୀଙ୍କ ନାଲି ବତି ଜଳୁଥିବାର ଫଟୋ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ବୁଥ ସମ୍ମୁଖରେ ଉତ୍ତେଜନା ଦେଖିବାକୁ ମିଳିଛି । ଭୋଟ୍ ନଦେବାକୁ ମତଦାତା ଜିଦ୍ ଧରି ବସିଥିବା ବେଳେ ସାନି ମତଦାନ ଦାବି କରିଛନ୍ତି । ଏପରିକି ଉକ୍ତ ଇଭିଏମର ଯାଞ୍ଚ କରିବାକୁ ମଧ୍ୟ ଦାବି କରାଯାଇଛି ।
ଇଭିଏମରେ ଚଞ୍ଚକତା ଅଭିଯୋଗ !
ସେହିପରି ମାଓବାଦୀ ପ୍ରବଣ ସନବାହାଲିର ୩୩୫ ନମ୍ବର ବୁଥରେ ଇଭିଏମରେ ଚଞ୍ଚକତା କରାଯାଇଥିବା ସନ୍ଦେହ କରାଯାଇଛି । ଏନେଇ ଭୋଟରମାନେ ତାତିଛନ୍ତି I ଇଭିଏମର ସିରିଏଲ ନମ୍ବର ଲୋକେ ପ୍ରିଜାଇଡିଂ ଅଫିସରକୁ ମାଗିଥିଲେ । ହେଲେ ପ୍ରିଜାଇଡିଂ ଅଫିସର ଇଭିଏମ ନମ୍ବର ଦେବାକୁ ମନା କରିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା I ଏଠାରେ କିଛି ସମୟ ପାଇଁ ଭୋଟ ଦାନ ପ୍ରଭାବିତ ହୋଇଥିଲା I ବୁଥରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା ।
ମହିଳାଙ୍କ ଭୋଟ୍ ଚୋରି
କୋମନା ଜିତମିତ୍ର ହାଇସ୍କୁଲର ୩୪୧ ନମ୍ବର ବୁଥରୁ ଆସିଛି ସାଙ୍ଘାତିକ ଅଭିଯୋଗ । ଏଠାକୁ ଭୋଟ ଦେବାକୁ ଜଣେ ମହିଳା ଆସି ଜାଣିବାକୁ ପାଇଲେ ତାଙ୍କ ଭୋଟ୍ ହୋଇ ସାରିଛି । ଜୟନ୍ତୀ ଛତ୍ରିଆ ନାମକ ମହିଳା ଜଣଙ୍କ ଭୋଟ ଦେବାକୁ କେନ୍ଦ୍ରକୁ ଆସିଥିଲେ । ହେଲେ ଆଗରୁ ତାଙ୍କ ନାଁରେ କେହି ଜଣେ ଭୋଟ ଦେଇଥିବା ଜାଣିବାକୁ ପାଇଥିଲେ । ସେ ଆଉ ଭୋଟ୍ ଦେଇ ପାରିବେନି ବୋଲି ଅଧିକାରୀମାନେ କହିବା ପରେ ମହିଳା ଜଣଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି । ତାଙ୍କ ଭୋଟ୍ ଆଉ କିଏ ଓ କେମିତି ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ଭୋଟ୍ ଦେବାକୁ ଯାଇ ମୋହନ ଜାଣିଲେ ସେ ମୃତ
ନୂଆପଡ଼ା ଉପ ନିର୍ବାଚନରେ ନିଜ ମତଦାନ ସାବ୍ୟସ୍ତ କରି ପାରିନାହାନ୍ତି ଭାଲୁକୋନା ଗାଁର ମୋହନ ନାଏକ I ୨୫୦ ନମ୍ବର ବୁଥରେ ଭୋଟ ଦେବା ପାଇଁ ମୋହନ ଲମ୍ବା ଲାଇନରେ ଛିଡା ହୋଇ ବୁଥ୍ ଭିତରକୁ ପଶିଥିଲେ । କିନ୍ତୁ ପ୍ରିଜାଇଡିଂ ଅଫିସର ଭୋଟର ଲିଷ୍ଟରେ ତାଙ୍କ ନାଁ ନଥିବା ଜଣାଇଥିଲେ I ଗତ ନିର୍ବାଚନରେ ମୋହନ ଭୋଟ ଦେଇ ନେତା ବାଛିଥିବା ବେଳେ ଉପ ନିର୍ବାଚନରେ ଭୋଟର ଲିଷ୍ଟରୁ ତାଙ୍କ ନାଁ କଟି ଯାଇଛି I ଏନେଇ ମୋହନ ନିର୍ବାଚନ ପରିଚାଳନା କରିଥିବା ଅଧିକାରୀଙ୍କୁ ବୁଝାଶୁଝା କରିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ନା ଭୋଟର ତାଲିକାରୁ କଟି ଯାଇଥିବା ଜାଣିବାକୁ ପାଇଥିଲେ I ଜୀବିତ ଅବସ୍ଥାରେ ତାଙ୍କୁ ମୃତକ ବୋଲି ଭୋଟର ଲିଷ୍ଟରୁ ନା କାଟି ଦେଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ମୋହନ ।
ପ୍ରିଜାଇଡିଂ ଅଫିସର ନିଲମ୍ବିତ
ସେପଟେ ମତଦାନରେ ଅବହେଳା ପାଇଁ ଜଣେ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବିତ ହେବାକୁ ପଡିଛି । ନିଲମ୍ବିତ ପ୍ରିଜାଇଡିଂ ଅଫିସର୍ ହେଲେ ସନ୍ଦୀପ କୁମାର ସ୍ବାଇଁ । ସେ ବିରୋମାଲ ବୁଥ ନମ୍ବର୍ ୪୬ର ପ୍ରିଜାଇଡିଂ ଅଫିସର ଥିଲେ । ମତଦାନର ଗୋପନୀୟତା ଉଲ୍ଲଂଘନ କରିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ତାଙ୍କୁ ନିଲମ୍ବନ କରିଛନ୍ତି l

