ପରୀକ୍ଷାର୍ଥୀ ଓ ଚାକିରି ଆଶାୟୀଙ୍କ ଜୀବନ ସହ ଖେଳ, ଚାଲିଛି ଖୁଲମଖୁଲା ଚାକିରି ବିକ୍ରି !

ଭୁବନେଶ୍ବର: କେତେ ବେଳେ ପ୍ରଶ୍ନପତ୍ର ଲିକ ତ କେତେ ବେଳେ ପରୀକ୍ଷା ସ୍ଥଗିତ । କେତେବେଳେ ବାହାରୁନି ପରୀକ୍ଷା ଫଳ । ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରମୁଖ ପରୀକ୍ଷା ଓ ପରୀକ୍ଷାର୍ଥୀଙ୍କ ଭାଗ୍ୟ ଭବିଷ୍ୟତ ଏଭଳି ଅବସ୍ଥାକୁ ଚାଲିଯାଇଛି । ଫାର୍ମାସିଷ୍ଟ ଓ ଏମପିଏଚଡବ୍ଲ୍ୟୁ ପଦବୀ ପାଇଁ ୮ ମାସ ତଳୁ ହୋଇଥିବା ପରୀକ୍ଷାର ଫଳ ଏଯାଏଁ ବହାରିପାରିଲା ନାହିଁ । ଯାହାକୁ ନେଇ ଶତାଧିକ ପରୀକ୍ଷାର୍ଥୀ ଓଡିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ସେପଟେ ବିଭିନ୍ନ ଛାତ୍ର ସଂଗଠନ ଓ ଜନ ସଂଗଠନର କହିବା କଥା ରାଜ୍ୟ ବିଜେପି ସରକାର ଏବେ ପ୍ରଶ୍ନପତ୍ର ଓ ଚାକିରି ବିକିବାରେ ବ୍ୟସ୍ତ ।
ଓଡ଼ିଶାରେ ଚାଲିଛି ଚାକିରି ବିକ୍ରି । ସରକାରଙ୍କ ଛତ୍ରଛାୟା ତଳେ ଏହି ବିକ୍ରି ଚାଲିଥିବା ନେଇ ବଡ଼ ଅଭିଯୋଗ । ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍, ବହୁ କମ୍ପିଟିଟିଭ ପରୀକ୍ଷାରେ ବ୍ୟାପକ ଅନିୟମିତତା, ପରୀକ୍ଷାକୁ ହଠାତ ସ୍ଥଗିତ ରଖିବା ଓ କିଛି ପ୍ରମୁଖ ପରୀକ୍ଷା ଫଳକୁ ପ୍ରକାଶ ନ କରିବାକୁ ନେଇ ସରକାରଙ୍କ ବିରୋଧରେ ଆସିଛି ବଡ଼ ଅଭିଯୋଗ । ଏବେ ଫାର୍ମାସିଷ୍ଟ ଓ ଏମପିଏଚଡବ୍ଲୁ ପରୀକ୍ଷା ଫଳ ବାହାର ନ କରିବାକୁ ନେଇ ଛାତ୍ର ଅସନ୍ତୋଷ ଦେଖାଦେଇଛି । ଦୀର୍ଘ ଆଠ ମାସ ବିତିଯାଇଥିଲେ ବି ବାହାରୁନି ପରୀକ୍ଷା ଫଳ । ଏହାର ପ୍ରତିବାଦରେ ଓଡିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ କାର୍ଯ୍ୟାଳୟ ସମ୍ମୁଖରେ ପରୀକ୍ଷାର୍ଥୀମାନେ ପ୍ରତିବାଦ ଜଣାଇଛନ୍ତି । ଏହି ପଦବୀ ପାଇଁ ରାଜ୍ୟର ୧୧ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏଯାଏଁ ପରୀକ୍ଷା ଫଳ ବାହାରୁ ନଥିବାରୁ ମାନସିକ ଦୁଃଶ୍ଚିନ୍ତା ମଧ୍ଯରେ ଗତି କରୁଛନ୍ତି ପରୀକ୍ଷାର୍ଥୀ । ଶୀଘ୍ର ପରୀକ୍ଷା ଫଳ ପ୍ରକାଶ ନପାଇଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ପରୀକ୍ଷାର୍ଥୀ ।
ସେପଟେ ଲଗାତାର ପରୀକ୍ଷା ବିଭ୍ରାଟକୁ ନେଇ ସରକାରଙ୍କ ଉପରେ ବର୍ଷିଛି ଷ୍ଟୁଡେଣ୍ଟସ ଏଗନେଷ୍ଟ କରପସନ । ଓଏସଏସସି, ଓଏସଏସଏସସି, ଓପିଆରବି ପରୀକ୍ଷାର ଫଳ ଆସୁନି । ଆରଆଇ, ଏଆରଆଇ, ଫରେଷ୍ଟର, ଫରେଷ୍ଟଗାର୍ଡ, ପୋଲିସ ଏସଆଇ ପରୀକ୍ଷାରେ ବିଭ୍ରାଟ ଘଟିଥିବାବେଳେ ଫାର୍ମାସିଷ୍ଟ ପରୀକ୍ଷା ଫଳ ଓ ପରୀକ୍ଷାକୁ ଗଡାଇ ନିଆଯାଉଛି । ଜାଣିଶୁଣି ଦୁର୍ନୀତି ପାଇଁ ଏବଂ ମାର୍କେଟରୁ ଅର୍ଥ କଲେକ୍ସନ ପାଇଁ ଏଭଳି ହେଉଥିବା ଅଭିଯୋଗ ହୋଇଛି । ଫାର୍ମାସିଷ୍ଟ ପଦବୀ ପାଇଁ ନୋଟିଫିକେସନକୁ ଦେଢ଼ ବର୍ଷ ଓ ପରୀକ୍ଷାକୁ ଆଠ ମାସ ହେଲାଣି । ନୋଟିଫିକେସନ ଡେଟ ଓ ପୋଷ୍ଟିଂ ଡେଟ ମଧ୍ୟରେ ସର୍ବାଧିକ ୬ ମାସ ରହିବା କଥା । କିନ୍ତୁ ବର୍ଷ ବର୍ଷ ବିଳମ୍ବ କରାଯାଉଛି । ଯାହା ଫଳରେ ଆଉ ପରୀକ୍ଷା ବି ହୋଇପାରୁନାହିଁ । ପିଲାଙ୍କ ବୟସ ଗଡି ଯାଉଛି। ସେଥିପାଇଁ ଏକ କମିଟି ଗଢାଯାଉ ବୋଲି ଦାବି ହୋଇଛି ।
ସେପଟେ ରାଜ୍ୟରେ ପିଲାଙ୍କ ଭବିଷ୍ୟତ ବିକ୍ରି କରାଯାଉଛି ବୋଲି ଅଭିଯୋଗ କରିଛି ନାଗରିକ ସୁରକ୍ଷା ମଞ୍ଚ । ପ୍ରଶ୍ନପତ୍ର ଓ ଚାକିରି ଲାଗି ଖୁଲମଖୁଲା ଅର୍ଥ କାରବାର ହେଉଥିବା ଅଭିଯୋଗ ହୋଇଛି । ଏଠି ପ୍ରତିଭାର ଅର୍ଥ କିଛି ନାହିଁ ବୋଲି କହି ସରକାର ଉପରେ ବର୍ଷିଛି ନାଗରିକ ସୁରକ୍ଷା ମଞ୍ଚ । ଏ ସରକାର କେମିତି ବେପାର କରିବେ ସେଥିପାଇଁ ଲାଗି ପଡିଛନ୍ତି । ଲୋକେ ଏ କଥା ବୁଝିଗଲେଣି ଓ ବିଜେପି ବି ବୁଝିଗଲାଣି ଆଗକୁ ଆଉ ସରକାରକୁ ଆସିବେ ନାହିଁ । ତେଣୁ ଏବେ ସବୁ ବିକି ଦେବାରେ ଲାଗିଛନ୍ତି ବିଜେପି ସରକାର । କେବଳ ଚାକିରି ନୁହେଁ, ରାଜ୍ୟ ବିଜେପି ସରକାର ଏବେ ଖଣି, ପାଣି, ଜଙ୍ଗଲ, ଜମି ସବୁ ବିକିବାରେ ଲାଗିଛନ୍ତି । ଏସବୁକୁ ଜୋରଦାର ବିରୋଧ କରାଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।
ସାଧାରଣ ପରୀକ୍ଷା ହେଉ କିମ୍ବା ପ୍ରତିଯୋଗିତା ମୂଳକ ପରୀକ୍ଷା ସବୁଥିରେ ଅନିୟମିତତା ଓ ଅରାଜକତା ଶୀର୍ଷରେ ପହଞ୍ଚିଛି । ଯାହାକୁ ନେଇ ଛାତ୍ରଛାତ୍ରୀ ମାନସିକ ଅବସାଦଗ୍ରସ୍ତ ହେଉଛନ୍ତି ।