ପିଡିଏସ୍ କେଳେଙ୍କାରୀ, ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଛି ଚାଉଳ

Allegations Of Irregularities In PDS Rice Distribution Boudh

ବୌଦ୍ଧ: ମୃତ ବ୍ୟକ୍ତ ନାଁରେ ଉଠୁଛି ରାସନ । ପାଞ୍ଚ ବର୍ଷ ହେଲା ଉଠୁଛି ରାସନ ସାମଗ୍ରୀ । ରାସନ କାର୍ଡ ଥାଇ ବି ୭ ବର୍ଷ ହେଲା ହିତାଧିକାରୀଙ୍କୁ ରାସନ ସାମଗ୍ରୀ ମିଳୁ ନଥିବା ବେଳେ ମୃତ ବ୍ୟକ୍ତିଙ୍କ ନାଁରେ ହଡ଼ପ ହେଉଛି ଚାଉଳ । ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାରୁ । ଖୋଲିଛି ପିଡିଏସ କେଳେଙ୍କାରୀର ଗୁମର ।

Allegations Of Irregularities In PDS Rice Distribution Boudh

ଭୂତ ଖାଉଛି ପିଡିଏସ ଚାଉଳ । ୫ ବର୍ଷ ହେଲା ଚାଲିଛି ଗୋଲକ ଧନ୍ଦା । ବୌଦ୍ଧ ଜିଲ୍ଲା ଲୁଣିବାବାଲ ପଞ୍ଚାୟତରୁ ଆସିଛି ଏଭଳି ଅଭିଯୋଗ । ମଧୂସୁଦନପୁର ଗାଁର ଅଶୋକ ପ୍ରଧାନ ୨୦୧୭ରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ସେବେ ଠାରୁ ତାଙ୍କ ନାଁରେ ରାସନ ସମଗ୍ରୀ ବନ୍ଦ ହୋଇ ଯାଇଛି । ମାତ୍ର ରାସନ କାର୍ଡରୁ ନାଁ କଟି ନଥିବାରୁ ଯୋଗାଣ ସହାୟିକା ଓ ପିଇଓ ଏହାର ଫାଇଦା ଉଠାଉଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ରେକର୍ଡରେ ପାଞ୍ଚ ବର୍ଷ ହେଲା ମୃତ ଅଶୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ । ଏ ବାବଦରେ ପରିବାର ଲୋକ କିଛି ଜାଣିନାହାନ୍ତି ।

କେବଳ ଅଶୋକ ନୁହେଁ ଏଭଳି ଅନେକ ମୃତ ବ୍ୟକ୍ତିଙ୍କ ନାଁରେ ପିଡିଏସ୍ ଚାଉଳ ଉଠୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ରାସନ କାର୍ଡ ପଞ୍ଜିକୃତ ହୋଇଥିଲେ ମଧ୍ୟ ରାସନ ସାମଗ୍ରୀ ମିଳୁନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଯୁବରାଜପୁର ଗାଁର ସରସ୍ୱତୀ ନାଏକଙ୍କ ନାଁରେ ଅନ୍ତର୍ଦୋୟ କାର୍ଡ ଜାରି କରି ୩୫ କେଜି ଚାଉଳ ହରିଲୁଟ୍ ହୋଇଥିବା ରେକର୍ଡରେ ସ୍ପଷ୍ଟ ହୋଇଛି । ଏନେଇ ନବର୍ନିବାଚିତ ସରପଞ୍ଚ ଜାଣିବା ପରେ ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।

Allegations Of Irregularities In PDS Rice Distribution Boudh

ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର । ଲୁଣିବାହାଲ ପଞ୍ଚାୟତରୁ ପ୍ରତିଦିନ ଏଭଳି ଦୁର୍ନୀତିର ଅଭିଯୋଗ ଆସୁଥିବା ବେଳେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ପଞ୍ଚାୟତବାସୀ ।