ପୋକରା ପିଡିଏସ ଚାଉଳ ନେବାକୁ ହିତାଧିକାରୀଙ୍କୁ ବାଧ୍ୟ କରାଯାଉଥିବା ଅଭିଯୋଗ

ରୟଗଡ଼ା: କାଶୀପୁର ବ୍ଲକ ହାଡ଼ିଗୁଡ଼ା ପଞ୍ଚାୟତରେ ହିତାଧିକାରୀଙ୍କୁ ୩ ମାସର ପିଡିଏସ ଚାଉଳ ଦିଆଯାଇଛି । ହେଲେ ଏହା ନିମ୍ନମାନର ହୋଇଥିବା ବେଳେ ଏଥିରେ ପୋକ ସାଲୁବାଲୁ ହେଉଛନ୍ତି । ହିତାଧିକାରୀ ଚାଉଳ ନେବାକୁ ଅମଙ୍ଗ ହେଲେ ସାମନଙ୍କୁ ବାଧ୍ୟ କରି ଦିଆଯାଉଥିବା ଅଭିଯୋଗ ହେଉଛି । ଗତ ତିନି ଦିନ ହେବ ପଞ୍ଚାୟତରେ ଏମିତି ଚାଲିଥିଲେ ବି ପ୍ରଶାସନିକ ଅଧିକାରୀଙ୍କ ନୀରବତାକୁ ନେଇ ହିତାଧିକାରୀ ଉଠାଇଛନ୍ତି ପ୍ରଶ୍ନ ।

ଅଭିଯୋଗ ଅନୁସାରେ, ହିତାଧିକାରୀଙ୍କୁ ଦିଆଯାଉଥିବା ଚାଉଳରେ ପୋକ ସାଲୁବାଲୁ ହେଉଛି । ଏହାସହ ଚାଉଳରୁ ଦୁର୍ଗନ୍ଧ ମଧ୍ୟ ବାହାରୁଛି । ଚାଉଳ ଦେଖିଲେ ଡର ଲାଗୁଛି, ଖାଇବୁ କେମିତି ବୋଲି ହିତାଧିକାରୀ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ହାଡିଗୁଡା ପଞ୍ଚାୟତରେ ୧୭ ଖଣ୍ଡ ଗାଁ ରହିଛି । ଗାଁରେ ମୋଟ ୧ ହଜାର ୯୨୬ ଜଣ ହିତାଧିକାରୀ ରହିଛନ୍ତି । ଚଳିତବର୍ଷ ଅକ୍ଟୋବର, ନଭେମ୍ବର ଓ ଡ଼ିସେମ୍ବର ତିନି ମାସ ପାଇଁ ୪୦୦ ବସ୍ତା ପୋକରା ଚାଉଳ ଗତ ୫ ଦିନ ତଳେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଛି । ହିତାଧିକାରୀଙ୍କୁ ନିମ୍ନମାନର ଚାଉଳ ନେବା ପାଇଁ ବାଧ୍ଯ କରୁଛନ୍ତି ଡିଲର । ହେଲେ ଖରାପ ଚାଉଳ ନେବାକୁ ଆଦୌ ରାଜି ହେଉ ନାହାଁନ୍ତି ହିତାଧିକାରୀ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସେପଟେ ଭଲ ଚାଉଲ ଆସିଲେ ଲୋକଙ୍କୁ ଦିଆଯିବା ବୋଲି କହିଛନ୍ତି ଯୋଗାଣ ନୀରିକ୍ଷକ ।

ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ଲୋକଙ୍କୁ ଯୋଗାଇ ଦିଆଯାଉଛି ପୋକ ସାଲୁବାଲୁ ପିଡିଏସ ଚାଉଳ । ଲୋକଙ୍କୁ ଏହି ନିମ୍ନମାନର ଚାଉଳ ନେବା ପାଇଁ ବାଧ୍ଯ ମଧ୍ଯ କରାଯାଉଛି । ଏନେଇ ଲୋକ ବିରୋଧ କଲେ ବି ସେମାନଙ୍କ କଥାକୁ ଗୁରୁତ୍ବ ଦିଆଯାଉନି ।