ବିଭିନ୍ନ ସରକାରୀ ଯୋଜନାରେ ଟଙ୍କା ଆସିବ କହି ଟିପ ଚିହ୍ନ ନେଲେ, ଆଉ ତା’ ପରେ…

ସତ୍ୟବାଦୀ: ପ୍ରଥମେ ବିଶ୍ୱାସ ଜିତିଲେ ପରେ ବିଶ୍ୱାଘାତକତା କଲେ । ଗାଁକୁ ଆସିଲେ, ମାଉସୀ ମଉସା ବୋଲି ସମ୍ବୋଧନ କଲେ, ଭଲମନ୍ଦ ବୁଝିଲେ ବିଶ୍ୱାସ ଜନ୍ମାଇଲେ । ଲୋକଙ୍କ ଦୁଃଖରେ ଦୁଃଖି ହେଲେ ଆବାସ ଯୋଜନା ଓ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଲେ । ଆଉ ଏହି ସହାୟତା ରାଶି ଯୋଗାଇଦେବା ଲାଗି ମେସିନରେ ଟିପ ଚିହ୍ନ ନେଲେ, ଆଉ ତା’ ପରେ ଟଙ୍କା ଦେବା ବଦଳରେ ଲୋକଙ୍କ କଷ୍ଟ ଅର୍ଜିତ ଜମା ରାଶିକୁ ଚଳୁ କରିଦେଲେ ସାଇବର ଠକ୍ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ୍‌ର ସୁଆଣ୍ଡୋ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ଘଟଣାନୁଯାୟୀ, ଗତ ୬ ତାରିଖ ଦିନ ଗାଁରେ ପହଞ୍ଚିଥିଲେ ଦୁଇ ଜଣ ଠକ । ପ୍ରଥମେ ଗ୍ରାମବାସୀଙ୍କ ସୁବିଧା ଅସୁବିଧା କଥା ବୁଝିଥିଲେ । ଆଉ ତା’ପରେ ଜବ କାର୍ଡ ଅଛି କି ନାହିଁ ବୁଝିଥିଲେ। ଇନ୍ଦିରା ଆବାସ ମିଳିଛି କି ନାହିଁ ବୁଝିଥିଲେ। ଯେଉଁମାନଙ୍କର ଘର ମିଳିନାହିଁ ସେମାନଙ୍କୁ ଆଧାର କାର୍ଡ ଓ ଫିଙ୍ଗର ପ୍ରିଣ୍ଟ ମେସିନରେ ଟିପିଦେବାକୁ କହିଥିଲେ ଓ ଖୁବଶୀଘ୍ର ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିବ ବୋଲି ପ୍ରତିଶ୍ରୁତି ଦେଇ ସେଠାରୁ ଚାଲି ଯାଇଥିଲେ। ଓ ଧୀରେ ଧୀରେ ଟିପ ଚିହ୍ନ ଦେଇଥିବା ବ୍ୟକ୍ତିଙ୍କ ବ୍ୟାଙ୍କଖାତାରୁ ଜମା ଟଙ୍କା ଖାଲି କରିବାରେ ଲାଗିଥିଲା । ଅନ୍ୟପକ୍ଷରେ ଟଙ୍କା ଆସିଥିବା ଆଶାରେ ବ୍ୟାଙ୍କକୁ ଯାଇ ଖାତା ଅପଡେଟ୍ କରିଥିଲେ ଲୋକେ । ହେଲେ ସେତେବେଳକୁ ସବୁ କିଛି ଖାଲି କରିସାରିଥିଲେ ଠକ । ଆଉ ଏହା ପରେ ସତ୍ୟବାଦୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଠକେଇର ଶିକାର ନିରୀହ ଗ୍ରାମବାସୀ । ଅଭିଯୋଗ ଅନୁଯାୟୀ ବନମାଳୀ ଭୋଇଙ୍କ ଖାତାରୁ ୧୦ ହଜାର ଟଙ୍କା ଲେଖାଏଁ ୯ ଥର ୯୦ ହଜାର ଟଙ୍କା ଓ ଅନ୍ୟ ଜଣେ ମହିଳା କଳ୍ପନା ଭୋଇ ଆକାଉଣ୍ଟରୁ ୮ ହଜାର ଟଙ୍କା । ଏଭଳି ଅନେକ ଅଳ୍ପ ଶିକ୍ଷିତ ବ୍ୟକ୍ତିଙ୍କ ପାଖରୁ ହଜାର ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା । ଅଭିଯୋଗକାରୀଙ୍କ ଅଭିଯୋଗ ଅନୁଯାୟୀ ପୃଥକ ପୃଥକ ମାମଲା ରୁଜ ହୋଇଛି ସତ୍ୟବାଦୀ ଥାନାରେ। ହେଲେ  ଏ ଯାଏଁ କୌଣସି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିପାରିନାହିଁ । ତେବେ ପୂର୍ବରୁ ମଧ୍ୟ ସମାନ ଅଭିଯୋଗ ସତ୍ୟବାଦୀର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜଣାପଡ଼ିଛି ।

ଏଥିସହିତ ପଢ଼ନ୍ତୁ: ୨ ଦିନ ଯାଏଁ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା

Leave a Reply