୩ ଧାନ କମ୍ପାନୀ ମାଲିକଙ୍କ କେଳେଙ୍କାରୀ, କୋଟି କୋଟି ଟଙ୍କାର ଚାଉଳ ହଡ଼ପ ଅଭିଯୋଗ
1 min read
ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପରେ ଏବେ ସରକାରଙ୍କୁ ଚୂନ ଲଗାଇଛନ୍ତି ଖୋର୍ଦ୍ଧା ଜିଲ୍ଲାର ୩ ମିଲର। ସରକାରଙ୍କୁ ଚାଉଳ ନଦେଇ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି। ଯୋଗାଣ ନିଗମ ଅଧିକାରୀଙ୍କ ଅବହେଳା ଯୋଗୁ ମିଲରଙ୍କ ଉପରେ ଧାର୍ଯ୍ୟ ପ୍ରାୟ ୫ କୋଟି ଟଙ୍କା ଆଦାୟ ହୋଇପାରିନି। ନନ୍ଦିଘୋଷ ଟିଭିର ଅନୁସନ୍ଧାନରୁ ଜଣାପଡ଼ିଛି ସରକାରଙ୍କୁ ଅର୍ଥ ପ୍ରଦାନ କରିବାକୁ ଥିବା କେତେକ ମିଲର ଫେରାର ହୋଇଯାଇଛନ୍ତି। ସେମାନଙ୍କର ଟେର୍ ପାଉନାହାନ୍ତି ଜିଲ୍ଲା ଯୋଗାଣ ଅଧିକାରୀ। ନନ୍ଦିଘୋଷ ଟିଭିର ଏକ୍ସକ୍ଲୁସିଭ ରିପୋର୍ଟ।
ବାବୁଙ୍କ ପରେ ମିଲର। ସରକାରଙ୍କୁ ଚୂନ ଲଗାଇ ଛୁ। ଖୋର୍ଦ୍ଧା ଜିଲ୍ଲା ସାରୁଅର ମେସର୍ସ୍ କଳିଙ୍ଗ ଏଗ୍ରିକଲଚରାଲ୍ ପ୍ରାଇଭେଟ୍ ଲିମିଟେଡ୍। ୨୦୧୨-୧୩ ଖରିଫ ବର୍ଷରେ ଯୋଗାଣ ନିଗମକୁ ଚାଉଳ ହେରଫେର କରିବା ଘଟଣାରେ ୩ କୋଟି ୩ ଲକ୍ଷ ୨୧ ହଜାର ୨୮୨ ଟଙ୍କା ସରକାରଙ୍କୁ ଫେରସ୍ତ କରିବାକୁ ଧାର୍ଯ୍ୟ କରାଯାଇଥିଲା। ଖୋର୍ଦ୍ଧା ଜଙ୍କିଆର ମେସର୍ସ ବଜରଙ୍ଗୀ ଫୁଡ୍ ଇଣ୍ଡଷ୍ଟ୍ରିଜ୍ ଉପରେ ସେହିବର୍ଷ ପାଇଁ ୬୮ ଲକ୍ଷ ୭ ହଜାର ୬୨୬ ଟଙ୍କା ଫେରସ୍ତ ପାଇଁ ହୋଇଥିଲା ନିର୍ଦ୍ଦେଶ। ୨୦୧୩-୧୪ ଖରିଫ ବର୍ଷ ପାଇଁ ବେଗୁନିଆର ମେସର୍ସ ମା’ ମଙ୍ଗଳା ରାଇସ୍ ଆଣ୍ଡ୍ ଡାଲ ମିଲ ଠାରୁ କ୍ଷତିପୂରଣ ବାବଦରେ ଖୋର୍ଦ୍ଧା ଜିଲ୍ଲା ଯୋଗାଣ ଅଧିକାରୀ ୧ କୋଟି ୧୫ ଲକ୍ଷ ୨୦ ହଜାର ୭୫୨ ଟଙ୍କା ଧାର୍ଯ୍ୟ କରିଥିଲେ।
ଏସବୁ ମିଲରମାନଙ୍କଠାରୁ ଧାର୍ଯ୍ୟ ହୋଇଥିବା ଟଙ୍କା ଆଦାୟ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ୨୦୧୯ ଅଗଷ୍ଟ ୧୬ ତାରିଖରେ ଯୋଗାଣ ନିଗମ ମହାପ୍ରବନ୍ଧକଙ୍କୁ ଚିଠି ଲେଖିଲେ। ମିଲରଙ୍କ ଭିତରୁ ମା ମଙ୍ଗଳା ରାଇସ୍ ଆଣ୍ଡ୍ ଡାଲ ମିଲ ସରକାରଙ୍କୁ କ୍ଷତିଭରଣା ବାବଦରେ ଓ୍ୱାନ୍ ଟାଇମ୍ ସେଟଲମେଣ୍ଟ୍ କରିବାକୁ ଗତବର୍ଷ ଜୁଲାଇ ୩୦ ତାରିଖରେ ନିବେଦନ କଲେ। ଯାହାର ମଞ୍ଜୁରୀ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ନିଗମକୁ ପଠାଇଲେ। କିନ୍ତୁ ନନ୍ଦିଘୋଷ ଟିଭିର ଅନୁସନ୍ଧାନରୁ ଜଣାପଡ଼ିଛି ମା ମଙ୍ଗଳା ମିଲ କେବେଠାରୁ ବନ୍ଦ ହୋଇଯାଇଛି। କଳିଙ୍ଗ ଏଗ୍ରିକଲଚରାଲ୍ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟ ଅର୍ଦ୍ଧଭଗ୍ନ ଅବସ୍ଥାରେ ପଡି ରହିଛି। ସେହିପରି ଜଙ୍କିଆ ବଜରଙ୍ଗି ମିଲର ଅସ୍ତିତ୍ୱ ମିଳୁନାହିଁ।
ମିଲରମାନେ ସରକାରଙ୍କ କୋଟି କୋଟି ଟଙ୍କା ହଡ଼ପ କଲେ। ସେମାନଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେନେଇ ଜିଲ୍ଲା ଯୋଗାଣ ଅଧୀକାରୀଙ୍କୁ ପଚାରିବାରୁ କୋର୍ଟରେ ମକଦ୍ଦମା କରାଯାଇଥିବା କହି ଦୋଷ ଖସାଇଦେଇଛନ୍ତି। ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଏ ନେଇ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି।