କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଅଭିଯୋଗ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳ ବଦଳ ଅଭିଯୋଗ । ପୁଅ କହି ଝିଅ ଧରାଇ ଦେଇଥିବା ଅଭିଯୋଗ ଆଣିଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ନବଜାତ ଶିଶୁର ବାପା ପ୍ରାଣକୃଷ୍ଣ ବିଶ୍ୱାଳ ।

ପ୍ରାଣକୃଷ୍ଣଙ୍କ କହିବା ଅନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ତାଙ୍କ ସ୍ତ୍ରୀ ପୁଅ ଜନ୍ମ ଦେଇଛନ୍ତି ବୋଲି ତାଙ୍କୁ ସୂଚନା ଦିଆଯାଇଥିଲା । ଫୋଟୋ ଉଠାଇବା ବେଳେ ଶିଶୁଟି ପୁଅ ନୁହେଁ ଝିଅ ବୋଲି ଦେଖିବାକୁ ପାଇଥିଲେ ।

କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିବା ସହ ଡିଏନଏ ଟେଷ୍ଟ ପାଇଁ ଦାବି କରିଛନ୍ତି ପ୍ରାଣକୃଷ୍ଣ । ନିର୍ଦ୍ଦେଶକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସୁପରିନଟେଣ୍ଡେଣ୍ଟଙ୍କ ନେତୃତ୍ବରେ ଏକ ଟିମ୍‌ ତଦନ୍ତ କରିବ । ରିପୋର୍ଟ ନଆସିବା ପର୍ଯ୍ୟନ୍ତ ମାଆ ଓ ପିଲାଙ୍କୁ ନେବେ ନାହିଁ ବୋଲି କହିଛନ୍ତି ପ୍ରାଣକୃଷ୍ଣ ।