ବିଜେପି ନିର୍ବାଚନୀ ସଭାରେ ରେଳ ବିଭାଗ ଅଧିକାରୀ, ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ବିଜେପିର ନିର୍ବାଚନୀ ସଭାରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ଅତିରିକ୍ତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି । ବିଜେପିର ନିର୍ବାଚନୀ କାର୍ଯ୍ୟକ୍ରମରେ ରେଳ ବିଭାଗ ଅଧିକାରୀ ସାମିଲ ଅଭିଯୋଗ । ସଂପୃକ୍ତ ରେଳ ବିଭାଗ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଦଳ ।

ବିଜେଡି ପ୍ରତିନିଧି ଦଳରେ ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି, ଅମିତ ମଲ୍ଲିକ, ହରିଶ ଚୌଧୁରୀ, ପ୍ରିୟବ୍ରତ ମାଝି, ତୁମ୍ବନାଥ ପଣ୍ଡା ଏବଂ ଇପସିତା ସାହୁ ପ୍ରମୁଖ ଅତିରିକ୍ତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ ।

ସାଂସଦ ସସ୍ମିତ ପାତ୍ର କହିଛନ୍ତି, ‘ଅତିରିକ୍ତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲୁ । ଦୁଇଦିନ ପୂର୍ବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବଡ଼ପୋଖରୀଆରେ ବିଜେପିର ଏକ ସଭା ହେଉଥିଲା । ଏଥିରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏବଂ ବିଜେପି ନେତା ପ୍ରଶାନ୍ତ ଗଜଦ୍ଦେବ ଉପସ୍ଥିତ ଥିଲେ । ଏହି ସଭାରେ ରେଳ ବିଭାଗର ତିନି ଜଣ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ରେଳ ବିଭାଗର ତିନି ଜଣ ଅଧିକାରୀ ବିଜେପିର ନିର୍ବାଚନୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ଆଚରଣ ବିଧି ଉଲ୍ଲଂଘନ କରୁଛି । ସମ୍ପୃକ୍ତ ଅଧିକାରୀମାନେ ହେଲେ ଖୋର୍ଦ୍ଧା ଡିଭିଜନର ଟିଟିଆଇ ପ୍ରଭାକର ବରାଳ ଏବଂ ଏସ.ଆର. ପଟ୍ଟନାୟକ, ଖୋର୍ଦ୍ଧା ଡିଭିଜନ ଆଇଓଡବ୍ଲ୍ୟୁ ବି.ବି. ମହାନ୍ତି ।’

ଆଗକୁ ସେ କହିଛନ୍ତି, ‘ଭାରତୀୟ ରେଳ ବିଭାଗର ବରିଷ୍ଠ ଅଧିକାରୀ ବିଜେପି ନିର୍ବାଚନୀ କାର୍ଯ୍ୟକ୍ରମରେ ସାମିଲ ହେବା ଦୁର୍ଭାଗ୍ୟର ବିଷୟ । ନିର୍ବାଚନ କମିଶନ ଏହାକୁ ଗୁରୁତ୍ବର ସହ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆମର ବିଶ୍ବାସ ରହିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ବିଜେଡି ଅବାଧ ନିର୍ବାଚନ ଉପରେ ବିଶ୍ବାସ କରେ । ଆମେ ଆଶା କରୁଛୁ ଭାରତ ସରକାରଙ୍କ ଅଧିକାରୀ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବାକୁ ନିର୍ବାଚନ କମିଶନ ବରଦାସ୍ତ କରିବେ ନାହିଁ ।’