ଭୁବନେଶ୍ବରରେ ଚାଞ୍ଚଲ୍ୟ, ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ !

1 min read

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ବିବାହର ମାସେ ପରେ ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ । ଅଭିଯୋଗ ଆଣିଲେ ଝିଅଙ୍କ ବାପଘର ଲୋକ । ଖଣ୍ଡଗିରି ଥାନାରେ ମାମଲା ରୁଜୁ ପରେ ଗିରଫ ହୋଇଛନ୍ତି ସ୍ବାମୀ ପ୍ରକାଶ ଖୁଣ୍ଟିଆ । ପ୍ରକାଶ ବିରୋଧରେ ଧାରା 302, 498 ଓ 304 (B)ରେ ମାମଲା ରୁଜୁ ହୋଇଛି । ଗତ ଏପ୍ରିଲ ୨୮ ତାରିଖରେ ଭଦ୍ରକ ତିହିଡି ଅଣ୍ଡରାଇର ରାଧାକାନ୍ତ ନାୟକ ନିଜ ଝିଅ ପ୍ରଭାବତୀଙ୍କର ଭୁବନେଶ୍ୱର ସରକାନ୍ତରାର ପ୍ରମୋଦ ଖୁଣ୍ଟିଆଙ୍କ ପୁଅ ପ୍ରକାଶ ଖୁଣ୍ଟିଆଙ୍କ ସହ ବିବାହ ହୋଇଥିଲା ।

ଗତ ମେ ୨୯ରେ ହଠାତ ବାପଘର ଲୋକ ଖବର ପାଇଲେ ଯେ ଝିଅ ଫାଶୀ ଲଗାଇ ଆତ୍ମହତ୍ୟା କରିଛି । ବାପଘର ଲୋକ ଭୁବନେଶ୍ୱର ଆସିବା ବେଳକୁ ଅନ୍ତିମ ସଂସ୍କାର ପାଇଁ ଝିଅର ମରଶରୀର ନିଆଯାଉଥିବା ଦେଖିଥିଲେ । ଗତକାଲି ଉକ୍ତ ମହିଳାଙ୍କ ମା’ ମାଧବୀ ନାୟକ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି । ଝିଅକୁ ବାହାଘର ପରେ ନିର୍ଯାତନା ଦିଆଯାଉଥିଲା ବୋଲି ବାପଘର ଲୋକ ଅଭିଯୋଗ କରିଛନ୍ତି । ସେପଟେ ପୋଷ୍ଟମର୍ଟମ ଓ ସାଇଣ୍ଟିଫିକ ଟିମ୍ ରିପୋର୍ଟକୁ ଆଧାର କରି ତଦନ୍ତ କରୁଛି ପୋଲିସ ।