ଶୋ’ ପିସ ପାଲଟିଛି ଏଲଇଡି ଟିଭି । କେଉଁଠି କାନ୍ଥରେ ଟଙ୍ଗାଯାଇଛି ତ କେଉଁଠି ଗୋଦାମ ଘରେ ରହିଛି । ହେଲେ ଲାଗୁନି ପିଲାଙ୍କ ହିତରେ । ରାୟଗଡା ଜିଲ୍ଲାର ୫୦୪ଟି ଅଙ୍ଗନବାଡି କେନ୍ଦ୍ରକୁ ଦୁଇଟି ପର୍ଯ୍ୟାୟରେ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏଲଇଡି ଟିଭି ଯୋଗାଇ ଦିଆଯାଇଛି । ହେଲେ ଅଧିକାଂଶ ଅଙ୍ଗନବାଡି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ହୋଇନି ।… ରାୟଗଡା ସଦର ବ୍ଲକ ସିକାବାଡି ଓ ଜାଙ୍ଗିଲି ସକ୍ଷମ ଅଙ୍ଗନବାଡି କେନ୍ଦ୍ର ଉପରେ ଟିକେ ନଜର ପକାନ୍ତୁ । ଏହି କେନ୍ଦ୍ରକୁ ଟିଭି ଯୋଗାଣ ହୋଇଥିଲେ ସୁଦ୍ଧା ଅଙ୍ଗନବାଡି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ହୋଇନାହିଁ । ଫଳରେ କୋମଳମତି ଶିଶୁ ମାନେ ଏଲଇଡି ଟିଭିର ସୁଫଳ ପାଇପାରୁନାହାନ୍ତି ।
୫୦୪ଟି ଏଲଇଡି ପାଇଁ ୧ କୋଟି ୧୦ ଲକ୍ଷ ୬୨ ହଜାର ୫ ଶହ ଟଙ୍କା ବ୍ୟୟ କରାଯାଇଛି । ଆଉ ଯେଉଁ ସବୁ ଅଙ୍ଗନବାଡି କେନ୍ଦ୍ରକୁ ଟିଭି ଯୋଗାଇ ଦିଆଯାଇଛି ଅଧିକାଂଶ କେନ୍ଦ୍ରରେ କରେଣ୍ଟ ନାହିଁ । ଅଧିକାଂଶ କେନ୍ଦ୍ରରେ ଏଯାଏଁ ଟିଭି ଲାଗି ନାହିଁ । ଯେଉଁଠି ଟିଭି ଦିଆଯାଇଛି ସେଠାକୁ ଟିଭି ଷ୍ଟାଣ୍ଡ ଯୋଗା ହୋଇନି । ଆସନ୍ତା ଏପ୍ରିଲ୍ ମାସରେ ସମସ୍ତ ଟିଭିର ୱାରେଣ୍ଟି ଶେଷ ହୋଇଯିବ । ତେବେ ୱାରେଣ୍ଟି ପୂର୍ବରୁ ଟିଭି ଲାଗିବ ନା ନାହିଁ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ପିଲାଙ୍କ ଶିକ୍ଷା ପାଇଁ ଟିଭି କିଣା ଯାଇଥିଲା ନା କାହା ସ୍ବାର୍ଥ ପାଇଁ ୫୦୪ଟି ଟିଭି କିଣା ଯାଇଥିଲା ? ଘଟଣାରେ କୌଣସି ପ୍ରଶାସନିକ ଅଧିକାରୀ ମୁହଁ ଖୋଲୁନଥିବା ବେଳେ କୋରାପୁଟ ସାଂସଦ ଘଟଣାର ତଦନ୍ତ ହେବା ଜରୁରୀ ବୋଲି କହିଛନ୍ତି । ଏଲଇଡି ଟିଭି କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଥିବା ବେଳେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।

