ଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ ପରେ ତିନି ନିଯୋଗଙ୍କୁ ନୋଟିସ୍

ଭୁବନେଶ୍ବର: ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ରାଜ୍ୟ ବାହାରର ଜଣେ ଶ୍ରଦ୍ଧାଳୁଙ୍କୁ ପ୍ରଭୁ ଲିଙ୍ଗରାଜଙ୍କ ସେବାରେ ନିୟୋଜିତ ସେବାୟତ ଦୁର୍ବ୍ୟବହାର କରିବା ସହ ଜୋର ଜବରଦସ୍ତ ଟଙ୍କା ଆଦାୟ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମେଲ୍ ଯୋଗେ ଅଭିଯୋଗ ପରେ ତଦନ୍ତ ଆରମ୍ଭ । ଅଭିଯୋଗ ପରେ ତିନି ନିଯୋଗଙ୍କୁ ନୋଟିସ୍ ଜାରି କଲା ମନ୍ଦିର ପ୍ରଶାସନ ।

ସୂଚନା ଅନୁସାରେ ଲିଙ୍ଗରାଜ ମନ୍ଦିରରେ ପର୍ଯ୍ୟଟକଙ୍କୁ ଖରାପ ବ୍ୟବହାର ଓ ଦର୍ଶନ ପାଇଁ ଜବରଦସ୍ତ ଟଙ୍କା ଆଦାୟ କରାଯାଉଥିବା ନେଇ ଅନ୍ୟ ରାଜ୍ୟରୁ ଆସିଥିବା ଜଣେ ଶ୍ରଦ୍ଧାଳୁ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିଜର ତିକ୍ତ ଅନୁଭୂତି ଜଣାଇବା ସହ ଏଥିରେ ସଂସ୍କାର ଆଣିବା ଓ ବେଆଇନ ଦାନଥାଳି ବଦଳରେ ଦାନହୁଣ୍ଡି ବସାଇବାକୁ ନିବେଦନ କରିଛନ୍ତି ।

ଅଭିଯୋଗ ଅନୁସାରେ, ଆନନ୍ଦ ବାଜପେୟୀ ନାମକ ଜଣେ ବରିଷ୍ଠ ନାଗରିକ ଗତ ଡିସେମ୍ବର ୭ ତାରିଖରେ ସପତ୍ନୀକ ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଆସିଥିଲେ । ମନ୍ଦିର ଭିତରେ ପହଞ୍ଚିବା ପରେ କିଛି କଥା ତାଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ବିଶେଷକରି କିଛି ସେବାୟତଙ୍କ ବ୍ୟବହାର ଦମ୍ପତିଙ୍କୁ ମର୍ମାହତ କରିଥିଲା । ସେ ତାଙ୍କ ଅଭିଯୋଗରେ ଲେଖିଛନ୍ତି, ‘ଦର୍ଶନ ପାଇଁ ଯିବା ବେଳେ ଆଡକାଠ ନିକଟରେ ଦୁଇ ଜଣ ପୂଜାରୀ ଠାକୁରଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ । ସେଠାରେ ଥିବା ଏକ ଟଙ୍କା ଭର୍ତ୍ତି ବଡ଼ ଷ୍ଟିଲ୍ ଥାଳିରେ ୫୦୦, ୧୫୦୦ ଓ ୨୦୦୦ ଟଙ୍କା ପକାଇବାକୁ ତାଙ୍କୁ ବାଧ୍ୟ କରିଥିଲେ । ସେ ଟଙ୍କା ନଦେବାରୁ ତାଙ୍କୁ ଖରାପ ବ୍ୟବହାର କରିବା ସହ ଦର୍ଶନ କରିବାକୁ ଦେଇ ନଥିଲେ । ସେମାନେ ଏତେ ଜୋର୍‌ରେ ପାଟି କରୁଥିଲେ ଯେ ଦୁଇ ମିନିଟ୍ ମଧ୍ୟ ଶାନ୍ତିରେ ଠାକୁରଙ୍କୁ ଦର୍ଶନ କରି ପାରି ନଥିଲୁ ।’

ଏହାପରେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମେଲ୍ କରି ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭୁବନେଶ୍ଵର ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର ନିର୍ବାହୀ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ବଡୁ ନିଯୋଗ, ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ସମ୍ପାଦକଙ୍କୁ ନୋଟିସ୍ ଦିଆଯାଇଛି । ଉଠିଥିବା ଅଭିଯୋଗ ସମ୍ପର୍କରେ ୩ ନିଯୋଗ ୩ ଦିନ ମଧ୍ୟରେ ବିବରଣୀ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତର ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ରିପୋର୍ଟ ପଠାଯିବ ବୋଲି ନୋଟିସ୍‌ରେ ଲେଖାଯାଇଛି ।