ସୁରକ୍ଷା ଗାର୍ଡଙ୍କ ସହ ଛାତ୍ରଙ୍କ ବିବାଦ ପରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା

ଆହ୍ଲାବାଦ: ଛାତ୍ରଙ୍କ ଅସନ୍ତୋଷ ନିଆଁରେ ଜଳୁଛି ଆହ୍ଲାବାଦ ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟରେ ଛାତ୍ର ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବିବାଦ ପରେ ଅନେକ ରାଉଣ୍ଡ ଫାଇରିଙ୍ଗ କରାଯାଇଛି, ଯେଉଁଥିରେ ଅନେକ ଛାତ୍ର ଆହତ ହୋଇଥିବା ସୂଚନା । ଛାତ୍ର ଓ ଗାର୍ଡମାନଙ୍କ ମଧ୍ୟରେ ଇଟା ଓ ପଥର ମାଡ଼ ହୋଇଛି । ଛାତ୍ରନେତା ବିବେକାନନ୍ଦ ପାଠକଙ୍କ ମୁଣ୍ଡ ଫାଠିଯାଇଛି । ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ, ସୁରକ୍ଷା ଗାର୍ଡ ଅନେକ ରାଉଣ୍ଡ ଫାଇରିଙ୍ଗ କରିଛନ୍ତି ।

ଏଥିସହିତ କହିଛନ୍ତି, ଛାତ୍ରନେତା ବିବେକାନନ୍ଦ ପାଠକ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବ୍ୟାଙ୍କକୁ ଯିବା ସମୟରେ ଗାର୍ଡମାନେ ଗେଟ ଖୋଲିବା ପାଇଁ ମନା କରିଦେଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସୂଚନା ପାଇ ପୋଲିସ ପହଞ୍ଚି ମାମଲାର ସମାଧାନ କରିଥିଲା । ଅଭିଯୋଗ ଅନୁଯାୟୀ ଏହାର କିଛି ସମୟ ପରେ ୟୁନିଭର୍ସିଟିର ୨୦୦ରୁ ଅଧିକ ଗାର୍ଡ ଗେଟ୍ ବନ୍ଦ କରି ଛାତ୍ରମାନଙ୍କୁ ଲାଠିରେ ପିଟିବା ଆରମ୍ଭ କରିଦେଇଥିଲେ । ଏଥିରେ ବିବେକାନନ୍ଦ ପାଠକ, ଅମିତ କୁମାର ଏଲଏଲବିର ଛାତ୍ରଙ୍କ ସମେତ ୬ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି ।

ଏହାପରେ ଆକ୍ରମକ ହୋଇ ଛାତ୍ରମାନେ ବିଶ୍ୱବିଦ୍ୟାଳୟ ପରିସରରେ ଭଙ୍ଗାରୁଜା କରିଥିଲେ । ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପରେ ଡିଏସମ ସଞ୍ଜୟ ଖତ୍ରୀ ବିପୁଳ ଫୋର୍ସ ସହ କ୍ୟାମ୍ପସରେ ପହଞ୍ଚିଛନ୍ତି । ବିଶ୍ୱବିଦ୍ୟାଳୟର କ୍ୟାଣ୍ଟିନରେ ଉତ୍ତେଜିତ ଛାତ୍ରମାନେ ନିଆଁ ଲଗାଇଦେଇଛନ୍ତି ଏବଂ ଅନେକ ଗାଡ଼ି ମଧ୍ୟ ଜାଳି ଦେଇଛନ୍ତି  । ପୋଲିସ ଉପଦ୍ରବ କରୁଥିବା ଛାତ୍ରମାନଙ୍କୁ କାବୁ କରିବା ପାଇଁ ଉଦ୍ୟମ ଜାରି ରଖିଛି । ସମ୍ପୂର୍ଣ୍ଣ ଅଞ୍ଚଳ ପୋଲିସ ଛାଉଣିରେ ପରିଣତ ହୋଇଛି ।